ସ୍କୁଟିକୁ ଧକ୍କାମାରି ଓଲଟିଲା ଟ୍ରଲର,ଜଣେ ମହିଳା ମୃତ ଡ୍ରାଇଭରଙ୍କ ବେପରୁଆ ଦ୍ରୁତଗତିରେ ଗାଡ଼ି ଚାଳନା ସାଧାରଣ ଲୋକଙ୍କ ପାଇଁ ସାଜିଛି କାଳ


ଝାରସୁଗୁଡ଼ା ୨୦/୮ (ଓଡ଼ିଶା ନ୍ୟୁଜ) ବୁଧବାର ପୁଣି ଏକ କୋଇଲା ବୋଝେଇ ଟ୍ରଲର ସ୍କୁଟିକୁ ଧକ୍କାମାରି ରାସ୍ତା ତଳକୁ ଖସିପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଉକ୍ତ ସ୍କୁଟିରେ ଆସୁଥିବା ମହିଳା ଜଣକ ଟ୍ରଲର ତଳେ ଚାପିହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ମୃତ ମହିଳା ଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଚିଖିଲାପାଲି ଗାଁର ଅଶୋକ ନାଥଙ୍କ ଝିଅ ପ୍ରଗତି ନାଥ (ପଣ୍ଡା) । ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଚିତ୍ରସେନ ଦେହେରି ସଦଲବଳ ଘଟଣା ସ୍ଥଳରେ ପହଞ୍ଚି ମୃତ ପ୍ରଗତିଙ୍କ ଶବକୁ ଉଦ୍ଧାର କରିଥିଲେ ଏବଂ ପଞ୍ଚନାମା କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ମଧ୍ୟ ଚିଖିଲାପାଲି ଗାଁକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ
ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ପ୍ରାପ୍ତ ସୂଚନା ମତେ ବୁଧବାର ଦିବା ପ୍ରାୟ ସାଢ଼େ ବାରଟା ସମୟରେ ଚିଖିଲାପାଲି ଗାଁର ଅଶୋକ ନାଥଙ୍କ ଝିଅ ପ୍ରଗତି ନାଥ (ପଣ୍ଡା) ସିଜି ୧୩ ଏଓ ୭୫୮୫ ସ୍କୁଟିରେ କନକତୋରା ପଟୁ ଘରକୁ ଫେରିବା ବାଟରେ ଭିକମପାଲି ସାନବ୍ରିଜ ନିକଟରେ ଥିବା ବୁଲାଣୀରେ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରଲର (ଓଡି ୨୩ କ୍ୟୁ ୫୪୧୬) ସ୍କୁଟିକୁ ଧକ୍କାମାରି ରାସ୍ତା ତଳକୁ ଖସି ପଡ଼ିଥିଲା । ଯାହା ଫଳରେ ସ୍କୁଟି ସହ ପ୍ରଗତି ଉକ୍ତ ଟ୍ରଲରରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ମୃତ ପ୍ରଗତିଙ୍କ ଛଅ ବର୍ଷର ଏକ ଶିଶୁପୁତ୍ର ଥିବା ଜଣା ପଡ଼ିଛି ।
ସେହିଭଳି ଛତିଶଗଡ଼ ରାୟଗଡ଼ ପଟୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଲୁହା ସାମଗ୍ରୀ ବୋଝେଇ ଟ୍ରଲର ଗାଡ଼ି ମହାସିଂ ଛକ ଅନତି ଦୂର ସିଂ ଢ଼ାବା ସମ୍ମୁଖରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉକ୍ତ ଗାଡିର ଡ୍ରାଇଭର ଜଣକ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
୪୯ ନଂ ଜାତୀୟ ରାଜପଥରେ ଭାରିଯାନ ଡ୍ରାଇଭରଙ୍କ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁ ଗନ୍ତାଘର ସାଜିଛି । ଉକ୍ତ ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ ଦୁର୍ଘଟଣା ମାନ ଘଟୁଛି ଲୋକେ ରାଜପଥରେ ଯାତାୟାତ କରିବାକୁ ଭୟ କରୁଛନ୍ତି । ଏପରିକି କୌଣସି କାମରେ ବାହାରକୁ ଗଲେ ଘରକୁ ଫେରିବେ କି ନାହିଁ ସେ ଚିନ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ କାରଣ ପାଲଟିଛି । ତେଣୁ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଭାରିଯାନ ଡ୍ରାଇଭର ମାନଙ୍କ ବେପରୁଆ ଗାଡ଼ି ଚାଳନା ପ୍ରତି ଜିଲ୍ଲା ପ୍ରଶାସନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।