କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତାରେ ପୋତିଦେଲେ ଜିଲ୍ଲାବାସୀ


ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଶିଳ୍ପ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା ।

ଜିଲ୍ଲାରେ ଏହି କାରଖାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ଆଗରୁ ଦାବୀ କରି ଆସୁଥିଲେ । ଏହା ମଧ୍ୟ ଦଳର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା । କେନ୍ଦୁଝରର ଲୁହାପଥର ବିଦେଶକୁ ରପ୍ତାନୀ ହୋଇ କାମରେ ଆସୁଛି କିନ୍ତୁ ଓଡିଶାରେ ଏହା କାହିଁକି ବ୍ୟବହାର ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଦାବୀ କରିଆସୁଥିଲେ ଏବଂ ଏଥିପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲେ ।

କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁତ ଦିନର ସ୍ୱପ୍ନ ଥିଲା, ଜିଲ୍ଲାରେ ଇସ୍ପାତ କାରଖାନା । ଆଜି ଏହା ସାକାର ହେବାକୁ ଯାଉଛି, ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବୋଲି ଆଜି ଧନ୍ୟବାଦ ଦେବାପାଇଁ ଆସିଥିବା କେନ୍ଦୁଝର ଜିଲ୍ଲାବାସୀଙ୍କ ମତ ଥିଲା । କେନ୍ଦୁଝର ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳର ଆଦିବାସୀ ମଞ୍ଚ, ଯୁବ ଛାତ୍ରସାମୁଖ୍ୟ, ନାଗରିକ ମଞ୍ଚ, ପ୍ରେସ୍ କ୍ଲବ, ବୁଦ୍ଧିଜୀବି ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା, ବିଶେଷକରି କେନ୍ଦୁଝର ଜିଲ୍ଲାକୁ ଏହି ଅମୂଲ୍ୟ ଉପହାର ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲ୍ଲାବାସୀ ।

କେନ୍ଦୁଝର ଜିଲ୍ଲାବାସୀଙ୍କ ସହିତ ପାଟଣା ବିଧାୟକ ଶ୍ରୀ ଅଖିଳ ନାୟକ ଏବଂ ତେଲକୋଇ ବିଧାୟକ ଡ. ଫକୀର ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପ୍ରତ୍ୟୁତ୍ତରରେ ଧନ୍ୟବାଦ ଦେଇ କହିଥିଲେ ଯେ, ଖଣିବହୁଳ କେନ୍ଦୁଝର ଜିଲ୍ଲା ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ । ଇସ୍ପାତ କାରଖାନା ଦାବୀ ଜିଲ୍ଲାବାସୀଙ୍କର ସବୁଠୁ ପୁରୁଣା ଓ ବଡ଼ ଦାବୀ ଥିଲା । ପୂର୍ବରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଖଣିବହୁଳ ରାଜ୍ୟରେ ଚାରୋଟି ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ତିନୋଟି ଇସ୍ପାତ କାରଖାନା ପ୍ରତିଷ୍ଠା ସରିଛି କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ଓଡ଼ିଶା ଏଥିରୁ ବଞ୍ଚିତ ଥିଲା । ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ବିଶ୍ୱର ବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଏହା ସ୍ଥାପନ ହେବାକୁ ଯାଉଛି । ଏହି ଇସ୍ପାତ କାରଖାନା କେନ୍ଦୁଝର ଜିଲ୍ଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ । ଆଗାମୀ ଦିନରେ ପାଟଣା ଅଞ୍ଚଳ ମଧ୍ୟ ରାଉରକେଲା ଭଳି ଏକ ଅତ୍ୟାଧୁନିକ ସହରରେ ପରିଣତ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଡବଲ ଇଞ୍ଜିନ ସରକାରରେ କେବଳ କେନ୍ଦୁଝରରେ ନୁହେଁ ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ହେବ । ଓଡ଼ିଶା ପାଇଁ ଅନେକ ବଡ ବଡ ପ୍ରକଳ୍ପ କେନ୍ଦ୍ର ସରକାର ମଞ୍ଜୁର କରୁଛନ୍ତି ।

ଶେଷରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ତାରିଣୀ ଏବଂ ପ୍ରଭୁ ବଳଦେବ ଜୀଉଙ୍କ ଆଶିର୍ବାଦରୁ ଆଜି ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ମାଧ୍ୟମରେ କେନ୍ଦୁଝର ଜିଲ୍ଲା ସହିତ ସମଗ୍ର ରାଜ୍ୟର ବିକାଶ ହେବ । ତେଣୁ ଏଥିପାଇଁ ଜିଲ୍ଲାବାସୀ ବିଶେଷକରି, ପାଟଣା ଅଞ୍ଚଳବାସୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।