Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ପରେ ଏବେ ମନ୍ତ୍ରୀ ହେବେ ଦୀପାଳି ! ଆଉ ନବ ଦାସଙ୍କ ହତ୍ୟାର ନ୍ୟାୟ କଥା କିଏ ପଚାରେ…

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟା ମାମଲାକୁ ତିନି ମାସରୁ ଉର୍ଦ୍ଧ୍ଵ ସମୟ ବିତିଗଲାଣି। ତଦନ୍ତ ପ୍ରକ୍ରିୟା କେତେ ବାଟ ଗଲା ଏହାର ଖବର କାହା ପାଖରେ ନାହିଁ। ଖୋଦ୍ ଯଦି ନିଜର ସନ୍ତାନ ବାପାଙ୍କ ନ୍ୟାୟ ପରିବର୍ତ୍ତେ ନିଜର ରାଜନୈତିକ ସ୍ଵାର୍ଥକୁ ଅଗ୍ରାଧିକାର ତେବେ କିଏ ବା କାହିଁକି ଦିବଙ୍ଗତ ନେତାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପ୍ରଶ୍ନ ଉଠାଇବ। ନିକଟରେ ସଂପନ୍ନ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ତଥା ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତକ କରିଛନ୍ତି। ଅର୍ଥାତ ବାପା ନବ ଦାସଙ୍କଠୁ ମଧ୍ୟ ଅଧିକ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ଦୀପାଳି। ଜିତିବା ପରେ ଭୁବନେଶ୍ଵର ଯାଇ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି। ଏବେ ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ସବୁଠି ଚର୍ଚ୍ଚା। ଏହି ସବୁ ମଧ୍ୟରେ ଜନତାଙ୍କ ମନରୁ ଲିଭିଗଲାଣି ଦିବଙ୍ଗତ ନେତା ନବ ଦାସଙ୍କ ହତ୍ୟାକାଣ୍ଡ। ଏବେ ହତ୍ୟାକାଣ୍ଡ ଉପରେ କବର ଦେବାକୁ ଚାଲିଛି ପ୍ରସ୍ତୁତି।

ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ଓଡ଼ିଶାରୁ ଦୁଇ ଜଣ ମନ୍ତ୍ରୀ ଏବଂ ବାଚସ୍ପତି ନିଜ ପଦରୁ ଇସ୍ତଫା ଦେଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ୧୨ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ପୁଣି ନବ ଦାସଙ୍କ ହତ୍ୟା ପରେ ସ୍ଵାସ୍ଥ୍ୟ ବିଭାଗ ବୁଝୁଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଉ ଗଣ ଶିକ୍ଷା ଏବଂ ଶ୍ରମ ବିଭାଗ ଅତିରିକ୍ତ ବୁଝୁଛନ୍ତି ପ୍ରମିଳା ମଲ୍ଲିକ। କହିବାକୁ ଗଲେ ମନ୍ତ୍ରଣାଳୟରେ ତିନୋଟି ବିଭାଗ ଗଣଶିକ୍ଷା, ଶ୍ରମ ଏବଂ ସ୍ଵାସ୍ଥ୍ୟ ଖାଲି ପଡ଼ିଛି। ଏମିତି ସ୍ଥିତିରେ ବିକ୍ରମ କେଶରୀ ଆରୁଖ ପୁଣି ଥରେ ମନ୍ତ୍ରୀ ପରିଷଦକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ଏବଂ ସେ ଗଞ୍ଜାମରେ ଦଳର ସାଙ୍ଗଠନିକ ଦାୟିତ୍ଵ ବୁଝିବେ, କାରଣ ସେଠାରେ ଦଳର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଗୋଟିଏ ମନ୍ତ୍ରୀ ପଦ ବିକ୍ରମ କେଶରୀ ଆରୁଖ ସମ୍ଭାଳିବା ପ୍ରାୟତଃ ନିଶ୍ଚିତ ଲାଗୁଥିବା ବେଳେ ବାକି ଦୁଇଟି ପଦରେ କାହାକୁ କାହାକୁ ମନ୍ତ୍ରୀ କରାଯିବ ତାହା ଚର୍ଚ୍ଚା ବିଷୟ ପାଲଟିଛି।

ତେବେ ଦୀପାଳି ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ମଧ୍ୟ ସମ୍ଭାବନା ରହିଛି। ଏହାର କାରଣ ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଲାଞ୍ଝିତ ହେବାକୁ ପଡ଼ିଥିଲା। ହତ୍ୟା ପଛରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବଡ଼ ବଡ଼ିଆ ଅଫିସରଙ୍କ ସଂପୃକ୍ତି ଥିବା ନେଇ ଜନମାନସରେ ଚର୍ଚ୍ଚା ଚାଲିଥିଲା। ଏବେ ଦୀପାଳିଙ୍କୁ ମନ୍ତ୍ରୀ କରାଯାଇ ଏସବୁ ଚର୍ଚ୍ଚା ଏବଂ ଆଶଙ୍କା ଉପରେ ପୂର୍ଣ୍ଣଛେଦ ପକାଇବାକୁ ସରକାର ଚାହୁଁଛନ୍ତି। ନବ ଦାସ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ ଏବଂ ଏବେ ତାଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ। ଏମିତି ହେଲେ ସଦା ସର୍ବଦା ନବ ଦାସଙ୍କ ହତ୍ୟାକାଣ୍ଡ ଉପରେ ଯେଉଁ ପ୍ରଶ୍ନ ଉଠିବାର ଆଶଙ୍କା ଥିଲା ତାହା ଉପରେ କବର ପଡ଼ିଯିବ। ଆଉ ସେପଟେ ନିର୍ବାଚନ ଜିତି ବେଶ ଉତଫୁଲ୍ଲିତ ଦୀପାଳି ଦାସଙ୍କୁ ଦେଖିଲେ ଲାଗୁଛି ଯେ, ବାପାଙ୍କ ନବଙ୍କ ହତ୍ୟା ମାମଲାର ନ୍ୟାୟ ଚୁଲିକି ଯାଉ। ସେ ତ ବିଧାୟକ ହୋଇଗଲେଣି, ପୁଣି ମନ୍ତ୍ରୀ ହେବେ। ତେଣୁ ନିଜ ବାପାଙ୍କ ହତ୍ୟାକାଣ୍ଡ ମାମଲାରେ ପ୍ରଶ୍ନ ଉଠାଇବାର ମୁର୍ଖାମୀ କାହିଁକି ବା ସେ କରିବେ। ପ୍ରଥମରୁ ମଧ୍ୟ ଦୀପାଳି ନବ ବାବୁଙ୍କ ହତ୍ୟା ଉପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ନଥିଲେ। ଆଉ ଏବେ ତାଙ୍କୁ ମନ୍ତ୍ରୀ କରାଯାଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇବାକୁ ସରକାରୀ ଦଳ ଭଲ ଉପାୟ ଆପଣେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ