Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ଙ୍କ ନାଆଁରେ ପୁଣି କଳଙ୍କ ଛିଟା, ଦଳଗାଁ ଆଶ୍ରମ ସ୍କୁଲ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଝାରସୁଗୁଡ଼ା ୨୨/୮ (ଓଡ଼ିଶା ନ୍ୟୁଜ) ପୁଣି ଗୁରୁ ଙ୍କ ନାଆଁ ରେ ଲାଗିଲା କଳଙ୍କ ଛିଟା ।ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଦଳଗାଁ ଆଶ୍ରମ ସ୍କୁଲର କେତେକ ଛାତ୍ରୀଙ୍କ ପ୍ରତି ପ୍ରଧାନ ଶିକ୍ଷକ ଅସଦାଚରଣ କରିବା ଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ଏନେଇ ବନହରପାଲି ଥାନାରେ ଲିଖିତ ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ଅଜୟ ବେହେରାଙ୍କୁ ଅଟକ ରଖି ପୁଲିସ ପଚରା ଉଚରା ଜାରି ରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୁଚନା ମତେ ଏସ୍‌ଟିଏସ୍‌ସି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଦଳଗାଁ ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ, ନ‌ବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୩୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଗତ ବୁଧବାର ଦିନ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ଡବ୍ଲୁଇଓ ଜ୍ୟୋସ୍ନା ରାଉଡିଆଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଛାତ୍ରୀ ମାନେ ରହୁଥିବା ହଷ୍ଟେଲ କୋଠରୀ ଭିତରକୁ ଅନେକ ସମୟରେ ଅଚାନକ ପ୍ରବେଶ କରିବା ସହ ସେମାନଙ୍କ ଶରୀରରେ ହାତ ମାରି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଏଥିସହ ଅନ୍ତେବାସୀଙ୍କ ପ୍ରତି ଖରାପ ଦୃଷ୍ଟି ରଖିବା ସହ ଯୌନ ଶୋଷଣ କରିବା ପ୍ରୟାସ ମଧ୍ୟ କରୁଥିଲେ । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଅବଗତ ହେବା ପରେ ଗୁରୁବାର ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି କରି ବନହରପାଲି ପୁଲିସ ପକ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଙ୍କୁ ଥାନାରେ ଅଟକ ରଖିଛି ଏବଂ ଉକ୍ତ ମାମଲାର ତଦନ୍ତ ଭାର ଜଣେ ଡିଏସ୍‌ପି କରୁଥିବା ବେଳେ ଆଜି ଶୁକ୍ରବାର ପୀଡ଼ିତା ଛାତ୍ରୀ ମାନଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯିବ। ଏଥିସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଛାତ୍ରୀ ମାନଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଆଶିଷ ପଣ୍ଡାଙ୍କୁ ପଚରା ଯିବାରୁ ଏହି ଅଭିଯୋଗ ପାଇବା ପରେ ଆଇନଗତ ପଦକ୍ଷେପ ନେବାକୁ ପୁଲିସକୁ ଜଣାଇଛି ବୋଲି ସେ କହିଛନ୍ତି । ସୂଚନା ଥାଉକି ଅନ୍ତେବାସୀ ପ୍ରଥମେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ହଷ୍ଟେଲର ମେଟନଙ୍କ ପାଖରେ ଅଭିଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ