ନୂଆଦିଲ୍ଲୀ: କସନା କୋତୱାଲି ଅଞ୍ଚଳର ସିରସା ଗାଁରେ ଅଗଷ୍ଟ ୨୧ ତାରିଖ ସନ୍ଧ୍ୟାରେ ଯୌତୁକ ନିର୍ଯାତନା ଦେଇ ନିଜ ସ୍ତ୍ରୀକୁ ଜୀବନ୍ତ ଜାଳି ହତ୍ୟା କରିଥିଲେ ସ୍ବାମୀ ଓ ପରିବାର। ତେବେ ନିକିଙ୍କ ଭଉଣୀ କାଞ୍ଚନଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିପିନ ଭାଟି, ଦେଢ଼ଶୁର ରୋହିତ, ଶାଶୁ ଦୟା ଏବଂ ଶ୍ୱଶୁର ସତ୍ୟବୀରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅଭିଯୋଗ କ୍ରମେ ପୋଲିସ ଶନିବାର ସନ୍ଧ୍ୟାରେ ପ୍ରଥମେ ଅଭିଯୁକ୍ତ ସ୍ୱାମୀ ବିପିନକୁ ଗିରଫ କରିଥିଲା। ରବିବାର ପୋଲିସ ଟିମ୍ ଘଟଣାରେ ବ୍ୟବହୃତ ଜ୍ୱଳନଶୀଳ ସାମଗ୍ରୀ ଉଦ୍ଧାର କରିବା ପାଇଁ ଅଭିଯୁକ୍ତ ବିପିନ ଭାଟିକୁ ପୋଲିସ ହେପାଜତରେ ନେଉଥିଲା। ଏହି ସମୟରେ ଅଭିଯୁକ୍ତ ଜଣେ ସବ-ଇନ୍ସପେକ୍ଟରଙ୍କଠାରୁ ପିସ୍ତଲ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚଳାଇ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରିଥିଲା। ଏହାର ଜବାବ ଦେବାକୁ ଯାଇ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା ଯାହାଫଳରେ ବିପିନ ଲଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଯାଇଥିଲେ। ତେବେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା ଓ ବର୍ତ୍ତମାନ୍ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଫେରାର ଅପରାଧୀ ମାନଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଚେଷ୍ଟା କରୁଛି। ତେବେ ଏ ସବୁ ମଧ୍ୟରେ ବିପିନ ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କରିନାହାନ୍ତି ବୋଲି ବୟାନ ଦେଇଛନ୍ତି। କେବଳ ଏତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଅତ୍ୟନ୍ତ ସାଧାରଣ କଥା ଓ ତାଙ୍କ ସ୍ତ୍ରୀ ନିଜେ ମୃତ୍ୟୁବରଣ କରିଥିବା ସେ କହିଛନ୍ତି।