ଭରତପୁର: ରାଜସ୍ଥାନର ଭରତପୁରରେ ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଆଇନଜୀବୀ କୀର୍ତ୍ତି ସିଂହଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି।
ତେବେ ଆଇନଜୀବୀ କୀର୍ତ୍ତି ସିଂହ ୨୦୨୨ ମସିହାରେ ହରିୟାଣାର ସୋନିପତରୁ ୨୩.୯୭ ଲକ୍ଷ ଟଙ୍କା ଦେଇ ହୁଣ୍ଡାଇର ଆଲକାଜାର କାର କିଣିଥିଲେ। କାର କିଣିବାର କିଛି ସମୟ ପରେ ହିଁ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।ଯାହାଫଳରେ ସେ ଡିଲରଙ୍କ ସହିତ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କ ସମସ୍ୟାର ସମାଧାନ ହୋଇପାରିନଥିଲା ଓ ସେ କୋର୍ଟର ଦ୍ବାରସ୍ଥ ହୋଇ କମ୍ପାନୀର ମାଲିକ ଏବଂ ପ୍ରମୋଟର ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମଥୁରା ଗେଟ୍ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ସେ ଠକେଇ ସହିତ ବିଶ୍ୱାସ ଭାଙ୍ଗିବା ପାଇଁ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଧାରା ଲଗାଇଛନ୍ତି। କାର କିଣିବା ସମୟରେ ସୋନିପତର ହୁଣ୍ଡାଇ କାର୍ ଡିଲର୍ ତାଙ୍କୁ କହିଥିଲେ ଯେ ତାଙ୍କୁ କାର ଚଲାଇବାରେ କୌଣସି ସମସ୍ୟା ହେବ ନାହିଁ ଏବଂ ଯଦି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ଏଥିପାଇଁ ଦାୟୀ ରହିବା ନେଇ କହିଥିଲେ। କିନ୍ତୁ ‘କାର କିଣିବା ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଆରମ୍ଭ ହୋଇଯାଇଥିଲା। ମୁଖ୍ୟ ଯାନ୍ତ୍ରିକ ତ୍ରୁଟି ହେଉଛି ଗାଡ଼ି ଚଲାଇବା ସମୟରେ ସ୍ପିଡ୍ ବଢ଼ାଇଲେ କିମ୍ବା ଓଭରଟେକ୍ କରିବାକୁ ଚାହିଁଲେ କାର ଥରିବାକୁ ଲାଗିଥାଏ କିନ୍ତୁ ଏହାର ସ୍ପିଡ ବଢ଼ି ନଥାଏ ଏବଂ ଅନେକ ଥର ଏହାର ଇଞ୍ଜିନ୍ ସିଷ୍ଟମ୍ ଖରାପ ମଧ୍ୟ ହୋଇଯାଇଛି।
ଯେଉଁଥିପାଇଁ ତାଙ୍କର ଏବଂ ତାଙ୍କ ପରିବାରର ଜୀବନ ଅନେକ ଥର ବିପଦରେ ପଡିଥିବାର ସେ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ ଯେତେବେଳେ ସେ ଡିଲରସିପ୍କୁ ଏ ବିଷୟରେ ଜଣାଇଥିଲେ ଏବଂ ସମସ୍ୟାର ସମାଧାନ କରିବାକୁ କିମ୍ବା କାର ବଦଳାଇବାକୁ କହିଥିଲେ, ସେମାନେ ସିଧାସଳଖ ମନା କରିଦେଇଥିଲେ। ଏଥିପାଇଁ ତାଙ୍କୁ ଆର୍ଥିକ, ଶାରୀରିକ ଏବଂ ମାନସିକ ବୋଝ ସହିବାକୁ ପଡିଛି। ତେବେ ସେ ଏବେ ମଧ୍ୟ କାର ଋଣ ପରିଶୋଧ କରୁଥିବା କହିଛନ୍ତି।