Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଦିବସୀୟ କର୍ମଶାଳା ୨୬୧ ବିଦ୍ୟାଳୟର ୬୦୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ

ଝାରସୁଗୁଡା ୧/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜ ପରିସରରେ ରବିବାର ଦିନ ବ୍ଲକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ଏବଂ ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କୁ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମହିମା ସାଂସ୍କୃତିକ ପରିଷଦ କଳାକାର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ଲଖନପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନ ମୂଖ୍ୟ ଅତିଥି, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ସ୍ୱତନ୍ତ୍ର ଅତିଥି, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ ମୁଖ୍ୟବକ୍ତା ଏବଂ ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ, ଏଡିଇଓ ପ୍ରଦୀପ୍ତ ସା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସମାଜସେବୀ ଗୌତମ ବେହେରା,ଝାରସୁଗୁଡା ଓଏସଏପି କମାନଡେଣ୍ଟ ଶ୍ରୀପ୍ରସାଦ ତମଙ୍ଗ, ବେଦାନ୍ତ ସିଏସଆର ବିଭାଗ ମୁଖ୍ୟ ସଂଗୀତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷା ନୀତି ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ଉପରେ ଆଲୋଚନା କରିଥିଲେ ।
ସେହିପରି ସମ୍ବଲପୁର ଡିଆଇଇଟି ବିଭାଗରୁ ଆଜାଦ ପ୍ରଧାନ, ଲଖନପୁର ଏବିଇଓ ହେମସାଗର ଚୌଧୁରୀ ଓ ଟିକେଶ୍ୱର ଜଗତ, ବିଭାଗୀୟ ବରିଷ୍ଠ ଅଧିକାରୀ ସଦାନନ୍ଦ ପଧାନ, ସୁନ୍ଦରଗଡ ଜିଲ୍ଲା ଡିଇଓ କାର୍ଯ୍ୟାଳୟ ର ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ପାତ୍ର, ତ୍ରିଲୋଚନ ସାହୁ, ରବି ପୂଜାରୀଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀ ମାନେ ମଧ୍ୟ ହିସାବ କିତାବ,ନଥିପତ୍ର ପ୍ରସ୍ତୁତ, ଶିଶୁ ସୁରକ୍ଷା, ଶିକ୍ଷା ଦାନ ବ୍ୟବସ୍ଥା ତଥା ବିଭିନ୍ନ ପ୍ରକଳ୍ପ ବିଷୟରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ । ଉକ୍ତ କର୍ମଶାଳାରେ ଲଖନପୁର ଗୋଷ୍ଠୀଶିକ୍ଷା ବ୍ଲକ ଅଧୀନସ୍ଥ ୨୬୧ ଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ମୋଟ ୬ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଛର୍ଲା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପଧାନ ମଞ୍ଚ ସଞ୍ଚାଳନ କରିଥିବା ବେଳେ ମହିମା ଡିଗ୍ରୀ କଲେଜର ବରିଷ୍ଠ କର୍ମଚାରୀ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସିଆରସିସି ମନୋହର କୁମାର, ଚନ୍ଦ୍ରାନନ୍ଦ ବୁଡ଼ା ଓ ନିଳାମ୍ବର ଅର୍ଗଳ, ସହକାରୀ ଶିକ୍ଷକ ବିନୋଦ ବିଶ୍ଵାଳ, ଶିକ୍ଷୟିତ୍ରୀ ଦମୟନ୍ତୀ ହୋତା, ପରମେଶ୍ୱରୀ ଚୌହାନ,ଶିକ୍ଷକ ସୁଶୀଲ ଜୟପୁରିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ