ଶ୍ରୀମୟୀ ଭିକ୍ଟିମ କାର୍ଡ ଖେଳୁଛନ୍ତି ବୋଲି କହିଛି ବିଜେଡି

ଶ୍ରୀମୟୀ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଲେଖା ପୋଷ୍ଟକରି ଦଳୀୟ ନେତୃତ୍ବକୁ କାଠଗଡାକୁ ଟାଣୁଥିବା ବେଳେ ଶ୍ରୀମୟୀ ଭିକ୍ଟିମ କାର୍ଡ ଖେଳୁଛନ୍ତି ବୋଲି କହିଛି ବିଜେଡି । ଆଜିପୁଣି ଶ୍ରୀମୟୀ ସୋସିଆଲ ମିଡିଆରେ ଲେଖିଛନ୍ତି, ସ୍ବାଭିମାନ ଓ ଆତ୍ମ ସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି । ଏହାର ଜବାବରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଶ୍ରୀମୟୀ କ୍ରମାଗତ ମିଛ କହୁଛନ୍ତି ।
ଚର୍ଚ୍ଚାରେ ବିଜେଡି ବନାମ ଶ୍ରୀମୟୀ । ଗୋଟିଏପଟେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଆଉ ଅନ୍ୟପଟେ ବିଜେଡିର ଜବରଦସ୍ତ କାଉଣ୍ଟର ଆଟାକ୍ । ସୋସିଆଲ ମିଡିଆରେ ଦଳ ବିରୋଧି ବିଭିନ୍ନ ଲେଖା ପୋଷ୍ଟ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ତାପରେ ବି ସେ ଦଳର ବିଭିନ୍ନ ନେତା ଓ ନୀତିକୁ ନେଇ ସିରିଜ ପ୍ରଶ୍ନ ଉଠାଉଛନ୍ତି ଶ୍ରୀମୟୀ । ଯାହା ଉପରେ ବିଜେଡି ପକ୍ଷରୁ ମଧ୍ୟ ଜବାବ ପରେ ଜବାବ ଦିଆଯାଉଛି । ଆଜି ଶ୍ରୀମୟୀ ମିଶ୍ର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଯେ ସେ ଦଳରେ ଅସନ୍ତୁଷ୍ଟ ଥିଲେ ଏବଂ ପଦପଦବୀ ଗ୍ରହଣ କରୁନଥିଲେ । ଏନେଇ ସେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ଆଦି ନେତ୍ରୀଙ୍କୁ ଅବଗତ ବି କରିଥିଲେ। କିନ୍ତୁ ସେମାନେ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । କ୍ଷମତା ପାଇଁ ନୁହେଁ ବରଂ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି ବୋଲି ଲେଖିଛନ୍ତି ଶ୍ରୀମୟୀ ।
କିଏ ସତକହୁଛି, ସୋସିଆଲ ମିଡିଆରେ ଚାଲିଛି ଶୁଣାଣି ଆଉ ବିଚାର। ଶ୍ରୀମୟ ଦଳର ବରିଷ୍ଠ ନେତୃବର୍ଗଙ୍କୁ ନିଜର ଅସନ୍ତୋଷ ଜଣାଇଥିବା କହିଛନ୍ତି। ସେପଟେ ଦଳର ବରିଷ୍ଠ ନେତା ତାଙ୍କୁ ଜବାବ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମୟୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ କହିଛନ୍ତି ଶ୍ରୀମୟୀ କ୍ରମାଗତ ମିଛ କୁହନ୍ତି । ଆଉ ଏବେ ଭିକ୍ଟିମ୍ କାର୍ଡ ଖେଳୁଛନ୍ତି । ଯଦି ସେ ଦଳର ସଦସ୍ୟ ନୁହନ୍ତି ତାହେଲେ ସେ ଦଳର ସମସ୍ତ କାମରେ କିଭଳି ସାମିଲ ହେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି।