ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ରଙ୍କ ବିଂଶତମ ବନ୍ଧୁ ମିଳନ

ଝାରସୁଗୁଡା:ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ହାଇସ୍କୁଲର ୧୯୬୮ ଶିକ୍ଷାବର୍ଷ ମ୍ୟାଟ୍ରିକ ୩ ୟ ବ୍ୟାଚ ପୁରାତନ ଛାତ୍ରଙ୍କ ବିଂଶତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର କରୁଣାକର ବାରିକ ଅଧ୍ୟକ୍ଷତା କରିଥିଲେ ।
ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ପଞ୍ଚାନନ ସା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ପରିଚୟ ପ୍ରଦାନ ସହ ନିଜ ନିଜ ମଧ୍ୟରେ ଭାବ ଆଦାନ ପ୍ରଦାନ ହୋଇଥିଲା । ଏଥିସହ ଭିକମପାଲି ହାଇସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷାଲାଭ କରି ଅଞ୍ଚଳକୁ କିପରି ଗୌରାନ୍ମିତ କରିବେ ସେ ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ସମାଜ ସେବା ପାଇଁ କ୍ଷମାସାଗର ଭୋଇ, ଶିକ୍ଷା ବିକାଶ ପାଇଁ ମୀନକେତନ ସା ଏବଂ ବୈଷ୍ଣବ ବାବା ସ୍ମୃତି ସମ୍ମାନରେ ସମ୍ମାନିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଏବଂ ପ୍ରମେୟ ପ୍ରତିନିଧି ତଥା ପୁରାତନ ଛାତ୍ର ମହେନ୍ଦ୍ର କୁମାର ସାଏ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୁରାତନ ଛାତ୍ର ଗଣେଶ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ରଙ୍କ ମଧ୍ୟରେ ସଭାପତି କରୁଣାକର ବାରିକଙ୍କ ସହ ବୋଧଲାଲ ସାହୁ,ଗଣେଶ୍ବର ମିଶ୍ର, ଲଛମନ ପଧାନ, ମୀନକେତନ ସା, କ୍ଷମାସାଗର ଭୋଇ,ଏକଲବ୍ୟ ମେହେର,ଚିନ୍ମୟ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।