ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୨ କୁଖ୍ୟାତ ଅପରାଧୀ ଗିରଫ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ପୁଣି ୨ କୁଖ୍ୟାତ ଅପରାଧୀଙ୍କୁ ଉଠାଇ ଆଣିଛି। ଉଭୟଙ୍କୁ ପୁଲିସ ମାରାଥନ ଜେରା କରୁଛି।
ସେହିପରି ପୀତବାସଙ୍କ କଲ୍ ଡିଟେଲସ ରିପୋର୍ଟରୁ ସନ୍ଦେହଘେରକୁ ଆସିଛନ୍ତି ୨ ମହିଳା। ନିୟମିତ ଭାବେ ସେମାନେ ପୀତବାସଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଏହାସହ ପୀତବାସଙ୍କ ପରିବାର ଲୋକ ଓ କିଛି ବନ୍ଧୁଙ୍କୁ ମଧ୍ୟ ପୁଲିସ ଏ ଭିତରେ ପଚରାଉଚରା କରିଛି।
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସିସିଟିଭି ଫୁଟେଜକୁ ଆଧାର କରି ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ଏହି ମାମଲାରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଜେରା କରିସାରିଲାଣି ପୋଲିସ। ଗତ କୁମାର ପୂର୍ଣ୍ଣିମା ରାତ୍ରରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା। ଏହି ହତ୍ୟା ଘଟଣାରେ ପୋଲିସ ବାଲିଘାଟରୁ ନେଇ ଜମି କାରବାର, ସୁଧ କାରବାରରୁ ନେଇ ବୃତ୍ତିଗତ ଶତ୍ରୁତା। ସବୁ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।
ଜଣେ କର୍ପୋରେଟରଙ୍କୁ ମଧ୍ୟ ଥାନାରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ କର୍ପୋରେଟର ଜଣକ କିଏ ଏବଂ ଘଟଣାରେ ତାଙ୍କର କଣ ସମ୍ପୃକ୍ତି ରହିଛି। ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ନିକଟରେ ଦୁଇଟି ଟିମ୍ ବ୍ରହ୍ମପୁର, କବିସୂର୍ଯ୍ୟନଗର, ପୋଲସରା ଏବଂ ପାଟପୁର ଥାନା ଅଞ୍ଚଳରେ ଚଢାଉ କରି ବହୁ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଥିଲା।
ହେଲେ ପୀତବାସଙ୍କୁ କିଏ ହତ୍ୟା କଲା ତାହା ଏ ଯାଏଁ ସାମ୍ନାକୁ ଆସିପାରିନି। ପୀତବାସଙ୍କୁ ହତ୍ୟା କରିଥିବା ସୁପାରି କିଲର କିଏ, ସେମାନଙ୍କୁ କିଏ ସୁପାରି ଦେଇଥିଲା, ହତ୍ୟା ପାଇଁ କିଏ ଷଡଯନ୍ତ୍ର ରଚିଥିଲା ତାହା ଜାଣିବାକୁ ପୁଲିସ ଜୋରଦାର ତଦନ୍ତ ଚଳାଇଛି।
ତେବେ ପୀତବାସଙ୍କ ମୃତ୍ୟୁର କାରଣ ଗୁଳିମାଡ଼ ପରେ ଶରୀରରେ ପ୍ରଚୁର ରକ୍ତସ୍ରାବ କାରଣରୁ ମୃତ୍ୟୁ ହୋଇଥିଲା।ଏପରିକି ଗୁଳିମାଡ଼ ପରେ ଶରୀରରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଂଶ ନଷ୍ଟ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଥିଲା।
ତେବେ ପୀତବାସ ପଣ୍ଡା ଜଣେ ଆଇନଜୀବୀ ସହ ରାଜନେତା ହୋଇଥିବାରୁ ବିଭିନ୍ନ କାମରେ ସେ ଜଡିତ ଥିଲେ। ସେ ଦେଢବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି।