ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ନୂଆ ତଥ୍ୟ: ଧରାପଡ଼ିଲେ ସୁଟର୍

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ ସୁରାକ ମିଳିଛି।ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ବିହାରର ଦୁଇଜଣ ଲୋକଙ୍କୁ ଉଠାଇ ଆଣିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର୍ ଏବଂ ଅନ୍ୟ ଜଣେ ରେକି ଟିମ ସାମିଲ ଥିବାର ସୂଚନା ମିଳିଛି। ବ୍ରହ୍ମପୁର ପୋଲିସ ଏହି ହତ୍ୟାକାଣ୍ଡ ମାମଲାରେ ବିହାରର ଦୁଇଜଣ ଲୋକଙ୍କୁ ଗିରଫ କରିଛି।
କିଛି ଦିନ ପୂର୍ବେ ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ବିଜେପିର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ହତ୍ୟା ଘଟଣାର ଏତେ ସମୟ ପରେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ପର୍ଦାଫାଶ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଆଲୋଚନା ମଧ୍ୟ ହେଉଛି। ତାଙ୍କର ଶତ୍ରୁ କେହି ନାହାନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, କେହି ଶତ୍ରୁ ନଥିବା ସତ୍ତ୍ୱେ ଏଭଳି ଘଟଣା ସନ୍ଦେହକୁ ଆହୁରି ବଢେଇଛି। ଏପଟେ ଦୋଷୀକୁ ଖସାଇବାକୁ ଯୋଜନା ହେଉଥିବା ନେଇ ସାଧାରଣରେ ଆଶଙ୍କା କରାଯାଉଛି।
ପୋଲିସ ୬ଟି ଟିମ୍ ଗଠନ କରି ତଦନ୍ତ କରୁଥିବା କଥା କହିଛି। ୬୦ରୁ ଅଧିକା ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି। କିପରି ଭାବରେ ତଦନ୍ତ ଆଗେଇବ ସେ କଥା ମଧ୍ୟ ସ୍ଥିର ହୋଇଛି। ପୀତବାସଙ୍କ ପୁଅ ସ୍ୱରୂପ ପଣ୍ଡା କହିଛନ୍ତି,ବାପା କେବେବି ଚାପରେ ନଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଆଇନଜୀବୀ ଅନୁସାରେ ସମସ୍ତଙ୍କ ନ୍ୟାୟ ପାଇଁ ଲଢୁଥିଲେ। ଏତେ ସମୟ ପରେ ବି ତାଙ୍କ ହତ୍ୟା ଘଟଣାର ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ପ୍ରକୃତ ଦୋଷୀକୁ ଫାସୀ ଦିଆଯାଉ। ପୀତବାସଙ୍କ ହତ୍ୟା ପରେ ପୁରା ପରିବାର ଏବେବି ଭୟଭୀତ ହୋଇକି ଅଛନ୍ତି। ବାସ୍ତବରେ ଅପରାଧୀଙ୍କୁ ଗିରଫ କରାଯିବ ନା ତାଙ୍କୁ ଖସାଇ ଦିଆଯିବ ତାକୁ ନେଇ ମଧ୍ୟ ଅନେକ ସନ୍ଦେହପୂର୍ଣ୍ଣ ଚର୍ଚ୍ଚା ଚାଲିଛି।