ଜୁବିନ ଗର୍ଗ ମୃତ୍ୟୁ ମାମଲା; ଜେଲ ବାହାରେ ହିଂସାକାଣ୍ଡ

ନୂଆଦିଲ୍ଲୀ: ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ବୁଧବାର ଦିନ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଆସାମର ବକ୍ସା ଜିଲ୍ଲାର ଏକ ଜେଲକୁ ଅଣାଯାଇଥିଲା।ଯାହାକୁ ନେଇ ଜେଲ୍ ବାହାରେ ଜୁବିନ ଗର୍ଗଙ୍କ ପ୍ରଶଂସକମାନେ ହିଂସାତ୍ମକ ପ୍ରତିବାଦ ଆରମ୍ଭ କରିଥିଲେ। ଏପରିକି ଜେଲ ବାହାରେ ଥିବା ପୋଲିସ ଗାଡ଼ି ସମେତ ସାତଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ପଥର ମାଡ଼ ମଧ୍ୟ କରିଥିଲେ ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହି ପ୍ରତିବାଦକୁ ଅଟକାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା।
ମୁଶାଲପୁର ସହର ଏବଂ ଜେଲ ପରିସରରେ କର୍ଫ୍ୟୁ ଜାରି ମଧ୍ୟ କରାଯାଇଥିଲା। ଏହିପରି ହିଂସାତ୍ମକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବକ୍ସା ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିବାକୁ ପଡ଼ିଥିଲା। ତୁରନ୍ତ ପଦକ୍ଷେପ ନିଆଯାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଜେଲର ୫୦୦ ମିଟର ପରିଧି ମଧ୍ୟରେ ସମସ୍ତ ରାଲି, ପ୍ରଦର୍ଶନ ଏବଂ ଶୋଭାଯାତ୍ରାକୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଲାଠି, ଧାରୁଆ, ବର୍ଚ୍ଛା ଏବଂ ଖଣ୍ଡା ଭଳି ଅସ୍ତ୍ରଶସ୍ତ୍ର ବହନ କରିବା ସହିତ ପଥର କିମ୍ବା ଯେକୌଣସି ଜ୍ୱଳନଶୀଳ ସାମଗ୍ରୀ ବହନ କିମ୍ବା ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଳ ପ୍ରୟୋଗ କରିବାକୁ ପଡିଥିଲା ବୋଲି ପୋଲିସ ମହାନିରୀକ୍ଷକ (ଆଇନ ଶୃଙ୍ଖଳା) ଅଖିଳେଶ ସିଂହ କହିଛନ୍ତି। ଏଥିସହିତ ଜିଲ୍ଲା ଜେଲ ଏବଂ ଏହାର ଆଖପାଖରେ ପରିସ୍ଥିତି ବର୍ତ୍ତମାନ୍ ସ୍ୱାଭାବିକ ଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।
ତେବେ ସେହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ ବାହିନୀ ମୁତୟନ କରାଯାଇଥିବା ସେ କହିଛନ୍ତି। ଏଥିସହିତ ଏହି ଘଟଣା ରେ ହୋଇଥିବା କ୍ଷତିର ବର୍ତ୍ତମାନ୍ ଆକଳନ କରାଯାଉଛି ଓ ହିଂସାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ସେହି ସମୟରେ ସେଠାରେ ପୋଲିସ ଫୋର୍ସ ମୁତୟନ ରହିଥିଲେ କିନ୍ତୁ ପରିସ୍ଥିତି ଏପରି ଉତ୍ତେଜନା ମୂଳକ ହୋଇଯିବ ବୋଲି ସେମାନେ ଆଶା କରିନଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।