ସୁନା ଦରରେ ଆକାଶ ଛୁଆଁ ବୃଦ୍ଧି, ଫିକା ପଡି଼ବକି ଧନତେରସ୍…

ଭୁବନେଶ୍ୱର: ଧନତେରସ୍ ପୂର୍ବରୁ ସୁନା ଦର ଆକାଶଛୁଆଁ ହୋଇଛି। ଗତ କିଛି ଦିନ ହେଲା ସୁନାର ଦରରେ ଯେଉଁଭଳି ବୃଦ୍ଧି ଘଟୁଛି ତାହା ଉଭୟ ଗ୍ରାହକ ଏବଂ ସୁନା ଦୋକାନୀ ମାନଙ୍କୁ ଚିନ୍ତାରେ ପକାଇଛି। ଆଜି ଧନତେରସ ଏପଟେ ସୁନା ଦରର ବୃଦ୍ଧି ସମସ୍ତଙ୍କୁ ଚିନ୍ତା ଘାରିଛି।
ବିଶ୍ଵାସ ଅଛି ଯେ, ଧନତେରସରେ ଯଦି ସୁନା କିମ୍ବା ରୂପାର ଗହଣା ଅଥବା କଏନ୍ ଏହି ତିଥିରେ କିଣାଯାଏ, ତେବେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ।ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏଭଳି ପରିସ୍ଥିତିରେ କେବଳ ସୁନାର ଦର ନୁହେଁ ବରଂ ରୂପାର ଦରବୃଦ୍ଧି ମଧ୍ୟ ଗ୍ରାହକଙ୍କୁ ବ୍ୟତିବ୍ୟସ୍ତ କରିଛି।
ରିପୋର୍ଟ ଅନୁସାରେ, ସୁନା ମୂଲ୍ୟ ପ୍ରାୟ ପ୍ରତିଦିନ ୧୦୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ସୁନା ପିଛା ୧.୨୩ ଲକ୍ଷ ଥିବା ବେଳେ ୨୪ କ୍ୟାରେଟ୍ ୧.୩୨ ରେ ପହଞ୍ଚିଛି। ପୂର୍ବରୁ ୨୦୨୦ ମସିହାରେ ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୪୦,୫୦୦ ପ୍ରତି ଟଙ୍କା ଥିଲା, ଏବେ ତାହା ୧.୬୦ରେ ପହଞ୍ଚିଛି।
ଓଡ଼ିଶାର ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି,”ସୁନା ମୂଲ୍ୟରେ ହ୍ରାସ ପାଇବାର କୌଣସି ଆଶଙ୍କା ଦେଖାଯାଉ ନାହିଁ। ଚାହିଦା ଅଧିକ ରହିଛି ଏବଂ ନିବେଶକମାନେ ନିବେଶ କରିବା ଜାରି ରଖିଛନ୍ତି। ଅନ୍ୟ ବିଶ୍ଲେଷକ ମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ବର୍ତ୍ତମାନର ସୁନାର ଅତ୍ୟଧିକ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ସୁନାର ମୂଲ୍ୟ ଖୁବ ଶୀଘ୍ର ପ୍ରତି ୧୦ ଗ୍ରାମ ୨ ଲକ୍ଷ ଟଙ୍କାରେ ପହଞ୍ଚି ପାରେ। ଅନୁମାନ ଏପରି ମଧ୍ୟ କରାଯାଉଛି ଯେ ସୀମିତ ପରିମାଣର ସୁନା ଯୋଗାଣ ଦରବୃଦ୍ଧିର ଏକ ମୁଖ୍ୟ କାରଣ ହୋଇପାରେ।