Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାସ୍ତବ ଜୀବନରେ ଇଏ ବି ହିରୋ; ଭିଡିଓ କଲରେ ଯାତ୍ରୀଙ୍କ ପ୍ରସବ କରାଇଲେ..

ମୁମ୍ବାଇ: ଆମିର ଖାନଙ୍କ ଅଭିନୀତ “ଥ୍ରୀ ଇଡିଅଟ୍ସ” ଫିଲ୍ମ ଭଳି ଏକ ଦୃଶ୍ୟ ମୁମ୍ବାଇର ରାମ ମନ୍ଦିର ରେଳ ଷ୍ଟେସନରେ ବାସ୍ତବରେ ଘଟିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୧୨.୪୦ ସମୟରେ ଗୋରେଗାଓଁରୁ ବିମାନବନ୍ଦରକୁ ଯାଉଥିବା ଏକ ଲୋକାଲ୍ ଟ୍ରେନରେ ଥିବା ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ସେହି ସମୟରେ ଟ୍ରେନରେ ୨୭ବର୍ଷୀୟ ବିକାଶ ଦିଲୀପ ବେଦ୍ରେ ନାମକ ଜଣେ ଯାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ଓ ସେ ପେଶାରେ ଜଣେ ଭିଡିଓ କ୍ୟାମେରାମ୍ୟାନ୍ ବୋଲି ଜଣାପଡ଼ିଛି। ସେହି ସମୟରେ ବିକାଶ ଉପସ୍ଥିତ ବୁଦ୍ଧି ଦେଖାଇ ତୁରନ୍ତ ଜରୁରୀକାଳୀନ ଚେନ୍ ଟାଣି ଟ୍ରେନ୍ ଟିକୁ ଅଟକାଇ ଥିଲେ। କିନ୍ତୁ ରାମ ମନ୍ଦିର ଷ୍ଟେସନରେ ଟ୍ରେନ୍ ଅଟକିବା ମାତ୍ରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିଲା। ନବଜାତ ଶିଶୁଟି ଅଧା ବାହାରକୁ ବାହାରି ଆସିଥିଲା ଓ ସେହି ସମୟରେ ଷ୍ଟେସନରେ କୌଣସି ଡାକ୍ତର କିମ୍ବା ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ନଥିଲା। ତେବେ ବିକାଶ ତାଙ୍କର ଜଣେ ମହିଳା ଡାକ୍ତର ବନ୍ଧୁଙ୍କୁ ଭିଡିଓ କଲ୍ ମାଧ୍ୟମରେ ଯୋଗାଯୋଗ କରିଥିଲ। ଡାକ୍ତର ସ୍କ୍ରିନରେ ମହିଳାଙ୍କ ଅବସ୍ଥା ପରୀକ୍ଷା କରି ଆଗାମୀ ନିର୍ଦ୍ଦେଶ ଦେଇଥିଲେ।

ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ବିକାଶ ପ୍ଲାଟଫର୍ମରେ ହିଁ ପ୍ରସବ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଜଣେ ଷ୍ଟେସନ ଚା ବିକ୍ରେତାଙ୍କଠାରୁ କଇଁଚି ଉଧାର ଆଣିଥିଲେ। ଏଥିସହିତ ସେ ଚାଦର ସଂଗ୍ରହ କରି ନାଡ଼ି ମଧ୍ୟ କାଟିଥିଲେ ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଣ୍ଠି ବାନ୍ଧିଥିଲେ। ତେବେ ପ୍ରାୟ ୧ଟା ବେଳେ ନବଜାତ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ପରେ ମା ଏବଂ ଶିଶୁକୁ କୁପ୍ରାଭା ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।

ତେବେ ଏପରି ଅଦ୍ଭୁତ କାର୍ଯ୍ୟ ସେ ପ୍ରଥମ ଥର ପାଇଁ କରିଛନ୍ତି ଓ ସେହି ସମୟରେ ସେ ବହୁତ ଭୟଭୀତ ଥିବା ବିକାଶ କହିଥିଲେ। ଏଥିସହିତ ତାଙ୍କ ଡାକ୍ତର ବନ୍ଧୁଙ୍କ ପରାମର୍ଶରେ ସେ ସଫଳ ହୋଇପାରିଛନ୍ତି ଓ ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ବୋଲି ମଧ୍ୟ ସେ କହିଛନ୍ତି।ସମ୍ପୂର୍ଣ୍ଣ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ବିକାଶଙ୍କ ଏପରି ସାହସକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। କେତେକ ତାଙ୍କୁ ପ୍ରକୃତ ହିରୋ କହୁଥିବା ବେଳେ କିଛି ତାଙ୍କୁ ପ୍ରକୃତ ରାଞ୍ଚୋ ବୋଲି ମଧ୍ୟ କହୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ