Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ନୀତିରେ ନୂଆ ନିୟମ : ଏଣିକି ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ରହିବ ପାସ୍ ଫେଲ୍

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ ଖବର। ଏଣିକି ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୁଲ୍ୟାଙ୍କନ କରାଯିବ। ସେହି ମୁଲ୍ୟାଙ୍କନ ଅନୁସାରେ ଛାତ୍ରଛାତ୍ରୀ ପାସ୍ ଓ ଫେଲ୍ ହେବେ। ଏହି ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଜିଲ୍ଲାସ୍ତରରେ ଛପା ଯିବା ସହ ସୁରକ୍ଷାର ସହିତ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପରୀକ୍ଷା ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି।

ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍‌ବୁକ୍‌ ପ୍ରଡକ୍ସନ୍‌ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ବରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି । ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।

ନିଷ୍ପତ୍ତି ଅନୁଯାୟୀ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ବାରା ପରୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଢାଞ୍ଚା ପ୍ରସ୍ତୁତ ସହ ଶିକ୍ଷଣ ଫଳାଫଳ/ଦକ୍ଷତା-ଆଧାରିତ ନମୁନା ପ୍ରଶ୍ନବ୍ୟାଙ୍କ, ଡିଆଇଇଟି ଅଧ୍ୟାପକଙ୍କ ତାଲିମ ଦିଆଯିବ । କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ରାଜ୍ୟସ୍ତରୀୟ ପରୀକ୍ଷା ସୂଚୀ ପ୍ରସ୍ତୁତି, ଜିଲ୍ଲା ସହ ନମୁନା ପ୍ରଶ୍ନର ଆଦାନପ୍ରଦାନ, ଡିଆଇଇଟି ବ୍ୟତୀତ ଅନ୍ୟ ଅଂଶୀଦାର ଯେପରିକି ଡିଇଓ, ବିଇଓ ଓ ସିଆରସିସିଙ୍କୁ ତାଲିମ ପ୍ରଦାନ ଓସେପା କରିବ।

ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ (ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ । ପ୍ରଶ୍ନପତ୍ର ଗୁଡ଼ିକ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ । ଡିଇଓମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ