ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା,ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସ ଦୁର୍ଘଟଣାରେ ୨୦ ମୃତ;ଦୁର୍ଘଟଣା ଘଟଣାରେ ରାୟଗଡ଼ା ଲିଙ୍କ୍
(ଆନ୍ଧ୍ରପ୍ରଦେଶ),୨୫|୧୦ : ଗତକାଲି ଭୋରରେ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ଚିନ୍ନାଟେକୁରୁ ଠାରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏକ ଭୟାନକ ଦୁର୍ଘଟଣାର ଶିକାର ହୋଇଛି | ଏସି ବସରେ ନିଆଁ ଲାଗିଯିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି | ଘଟଣାରେ ରାୟଗଡ଼ା ଜିଲ୍ଳା ଲିଙ୍କ ରହିଥିବା ଦେଖିବାକୁ ମିଳିଛି। ବସଟି ଏକ ମୋଟରସାଇକେଲ ସହିତ ଧକ୍କା ହେବା ଏବଂ ଇନ୍ଧନ ଲିକ୍ ହେବାର କିଛି ମିନିଟ୍ ପରେ ବସ୍ ଟିରେ ନିଆଁ ଲାଗିଯାଇଥିଲା। ଯାତ୍ରୀ ମାନେ ନିଜ ଜୀବନ ବଞ୍ଚାଇବାକୁ ଝରକା ଭାଙ୍ଗି ବସରୁ ଡେଇଁ ବାହାରିଥିଲେ ଏବଂ ଯେଉଁ ଯାତ୍ରୀ ବସରୁ ଡେଇଁ ପାରିନଥିଲେ ସମସ୍ତେ ମୃତ୍ୟୁବରଣ କରିଛନ୍ତି।
ଦୁର୍ଘଟଣାଗ୍ରସ୍ତ ବସର ରାୟଗଡ଼ା ଜିଲ୍ଲା ଲିଙ୍କ ବାହାରିବା ପରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସଟି କାହିଁକି ରାୟଗଡ଼ାରେ ପୁନଃ ରେଜିଷ୍ଟ୍ରେସନ ହୋଇଥିଲା ସେନେଇ ଚର୍ଚ୍ଚା ଜୋର ଧରିଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂଚନାରୁ ଜଣାପଡିଛିଯେ, ବସ ନଂ ଡିଡି-୦୧-ଏନ-୯୪୯୦ ପ୍ରଥମେ ତେଲେଙ୍ଗାନାରେ ରେଜିଷ୍ଟ୍ରେସନ ହେବା ପରେ ୨୦୧୮ ମସିହା ଅଗଷ୍ଟ ମାସରେ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଡିଉରେ ରେଜିଷ୍ଟ୍ରେସନ ହୋଇଥିଲା । କିନ୍ତୁ କୌଣସି କାରଣ ବଶତ୍ଃ ସେଠାରୁ ଅନଲାଇନରେ ଏନଓସି ଆଣି ୨୦୨୫ ବର୍ଷ ଅପ୍ରେଲ ମାସରେ ରାୟଗଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୁନଃ ରେଜିଷ୍ଟ୍ରସନ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବସଟି ସମସ୍ତ ବୈଧ କାଗଜ ପତ୍ର ଅନଲାଇନରେ ଦାଖଲ କରି ରାୟଗଡ଼ା ଆରଟିଓ ଅଫିସରେ ପୁନଃ ରେଜିଷ୍ଟ୍ରେସନ ହୋଇଥିବା ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ ପ୍ରକାଶ କରିଛନ୍ତି । କେଉଁ କାରଣରୁ ବସଟି ୩ଥର ରେଜିଷ୍ଟ୍ରେସନ ହୋଇଥିଲା ଉଭୟ ରାଜ୍ୟର ପରିବହନ ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି ।
ଆନ୍ଧ୍ରପ୍ରଦେଶରେ ରୋଡ ଟ୍ୟାକ୍ସ ଅଧିକା ହୋଇଥିବା କାରଣରୁ ଓଡ଼ିଶାରେ ପୁନଃ ରେଜିଷ୍ଟ୍ରେସନ ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାଗ୍ରସ୍ତ ବସଟି ଭେମୁରୀ କାବେରୀ ଟ୍ରାଭେଲ୍ସ ମାଲିକାନାରେ ଥିବାବେଳେ ଏହା ରାୟଗଡ଼ାର ଭେମୁରୀ ବିନୋଦ କୁମାରଙ୍କ ଦ୍ବାରା ପରିଚାଳିତ ହେଉଥିବା ଜଣାପଡ଼ିଛି । ପରିଚାଳକ ବିନୋଦ କୁମାର ଏକ ଆଫିଡେଭିଟ ମାଧ୍ୟମରେ ରାୟଗଡ଼ା ବାସିନ୍ଦା ବୋଲି ଦର୍ଶାଇ ଓଡ଼ିଶାରେ ପୁନଃ ରେଜିଷ୍ଟ୍ରେସନ କରିଛନ୍ତି । ବସଟିର ଟୁରିଷ୍ଟ ପରମିଟ ଥିବାବେଳେ ଏହା ଯାତ୍ରୀବାହୀ ବସ ରୂପେ ବ୍ୟବହାର ହେଉଥିଲା କି ସନ୍ଦେହ କରି ଆନ୍ଧ୍ରପ୍ରଦେଶ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହିତ ପରିବାର ବର୍ଗଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି |

