Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସମ୍ପୂର୍ଣ୍ଣ ଏମପିସିଏସ ଭବନ, ପରିବେଶ ଗଛଳତା ପୂର୍ଣ୍ଣ, ଲୋକଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାର ପ୍ରକଳ୍ପ

ଝାରସୁଗୁଡା, ୩୧/୧୦ (ଓଡ଼ିଶା ନ୍ୟୁଜ): ସରକାରୀ ବାବୁଙ୍କ ଅବହେଳା ଓ ଅସଚେତନତାର ଜ୍ୱଳନ୍ତ ଉଦାହରଣ ହେଲା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଲୁଣ୍ଡା ଗାଁର ଦୁଗ୍ଧ ଚାଷ ମାନଙ୍କ ପାଇଁ ନବନିର୍ମିତ ଦୁଗ୍ଧ ଉତ୍ପାଦ ସମବାୟ ସମିତି (ଏମପିସିଏସ) ଭବନ।
ଦୀର୍ଘ ତିନି ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହି ନବନିର୍ମିତ ଭବନ ପରିସର ଗଛଲତାରେ ପରିପୂର୍ଣ୍ଣ ହୋଇ ଏକ ଛୋଟିଆ ଜଙ୍ଗଲର ରୂପରେ ପରିଣତ ହେଲାଣି । ସରକାରୀ ଅର୍ଥ ଖର୍ଚ୍ଚ ହେଲା,କିନ୍ତୁ ତାହା ଲୋକଙ୍କ କୌଣସି କାମରେ ଆସୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ତଥ୍ୟ ଅନୁଯାୟୀ, ଧୁଲୁଣ୍ଡା ଗାଁର ଦୁଗ୍ଧ ଚାଷୀଙ୍କ ସୁବିଧା ପାଇଁ ୧୬ ଲକ୍ଷ ୯୨୧ ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ ପାଇଁ ଲଖନପୁର ପଞ୍ଚାୟତ ସମିତି ପକ୍ଷରୁ ଟେଣ୍ଡର ମାଧ୍ୟମରେ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭବନର ପ୍ରାୟ ସମସ୍ତ କାମ ସମାପ୍ତ କରିଥିଲେ ମଧ୍ୟ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନ ହୋଇ ଥିବାରୁ ତାହା ଅସମ୍ପୂର୍ଣ୍ଣ ରହିଛି । ଦୀର୍ଘ ୩ ବର୍ଷ ଅତିବାହିତ ହେଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ସେହି ଭବନ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯାହା ଫଳରେ ଦୁଗ୍ଧ ଚାଷୀ ଏହି ଭବନକୁ ବ୍ୟବହାର କରି ପାରୁନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଅନେକ ଥର ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ । ତେଣୁ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ଯଥାଶିଘ୍ର ଭବନର ଅବଶିଷ୍ଟ କାମ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ଚାଷୀ ଜେନାମଣି ବିଶ୍ଵାଳ, ବୋଧରାମ ସା, ବିଦ୍ୟାଧର ସା, କୁଞ୍ଜ ପଧାନ, ବଳରାମ ମେହେର, ସମ୍ରାଟ ବିଶ୍ଵାଳ ଓ ଶମ୍ଭୁନାଥ ସା ପ୍ରମୂଖ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଲଖନପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର କହିଛନ୍ତି ଯେ,ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ