ମନ୍ଥା ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା, ବର୍ଷା ଓ ପବନରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଝାରସୁଗୁଡା ୧/୧୧ (ଓଡ଼ିଶା ନ୍ୟୁଜ): ଲଘୁଚାପ ଜନିତ ବର୍ଷା ଓ ଜୋର ପବନ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ଧାନ ଫସଲ ଗୁରୁତର ଭାବରେ ନଷ୍ଟ ହୋଇଛି। ବିଶେଷ କରି ଜାମଗାଁ, କତରବଗା, ପଲସଦା, ପଞ୍ଚଗାଁ, ମଚିଦା ଠାରୁ ଆରମ୍ଭ କରି ସୀମାନ୍ତ ୧୯ ମୌଜା ଅଞ୍ଚଳ କଣ୍ଡେଇକେଲା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଚାଷୀକୁଳ ବିପର୍ଯ୍ୟସ୍ତ ହୋଇ ପଡ଼ିଛନ୍ତି।
ଚଳିତ ବର୍ଷ ଧାର ଓ କରଜ କରି ବହୁ କଷ୍ଟରେ ଧାନ ଚାଷ କରିଥିବା ଚାଷୀ ମାନେ ଭଲ ଫସଲର ଆଶା ରଖିଥିଲେ। ତେବେ ଅପ୍ରତ୍ୟାଶିତ ବର୍ଷା ଓ ପବନ ସେମାନଙ୍କ ସମସ୍ତ ଆଶାକୁ ମିନିଟେ ଧୂଳିସାତ କରି ଦେଇଛି। ବହୁ ଜାଗାରେ ପାକଳ ଅବସ୍ଥାରେ ଥିବା ଧାନ ଭୁଇଁରେ ଲୋଟି ଯାଇ ଥିବାରୁ ଚାଷୀ ମାନେ ଏବେ ଅର୍ଥନୈତିକ ସଙ୍କଟରେ ପଡ଼ିଛନ୍ତି।
ଜାମଗାଁ ଗାଁର ବରିଷ୍ଠ ଚାଷୀ ଲମ୍ବୋଦର ବଢ଼େଇ କହିଛନ୍ତି, “ଏ ବର୍ଷ ଭଲ ଫସଲ ହେବ ବୋଲି ଆଶା କରିଥିଲୁ । ତାହାକୁ ବିକ୍ରି କରି ପୁଅ-ଝିଅ ଙ୍କ ପାଠପଢା ଓ ଘର ଖର୍ଚ୍ଚ ଚଲିଯିବ ବୋଲି ଭାବିଥିଲୁ। କିନ୍ତୁ ଏହି ବର୍ଷା ଓ ପବନ ଆମ ସମସ୍ତଙ୍କ ଆଶାକୁ ଭାଙ୍ଗି ଦେଲା।” ଚାଷୀକୁଳଙ୍କ ଏଭଳି ସ୍ଥିତି ଦେଖି ବିଭିନ୍ନ କୃଷକ ସଙ୍ଗଠନ ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ସଙ୍ଗତ ସହାୟତା ଦେବାକୁ ଦାବି କରିଛନ୍ତି ।

