ମଇଦାନକୁ ଓହ୍ଲାଇବେ ନବୀନ, ନୂଆପଡାରେ କରିବେ ପ୍ରଚାର
ଭୁବନେଶ୍ୱର: ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କ ପାଇଁ ମାଗିବେ ଭୋଟ।ବରିଷ୍ଠ, ଅଭିଜ୍ଞଙ୍କଠାରୁ ଆରମ୍ଭ କରି ନବାଗତ ଓ ଯୁବ-ଛାତ୍ର ନେତା ଏକ ହୋଇ ନୂଆପଡ଼ା ଆସନ ପୁଣିଥରେ ଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି। ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଆଜି ସକାଳ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଫେରିଆସିବେ।
ତେବେ ନବୀନ ସରକାର ସମୟରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତାକୁ ଆୟୁଧ କରି ଦଳ ଉପନିର୍ବାଚନ ଲଢ଼ୁଛି। ଏପଟେ ନବୀନଙ୍କ ଗସ୍ତକୁ ନେଇ ବିରୋଧୀ ଶିବିରରେ ଭାଳେଣି ପଡ଼ିଥିବା ଚର୍ଚ୍ଚା ହେଉଛି।

