Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପବିତ୍ର ବଡଓଷା ଉପଲକ୍ଷେ ଚଳ ଚଞ୍ଚଳ ଶୈବପୀଠ, ବାବା ଧବଳେଶ୍ବରଙ୍କ ହରିହର ବେଶ

ଭୁବନେଶ୍ବର: କାର୍ତ୍ତିକ ମାସର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପର୍ବ ପଡିଥାଏ। ଏନେଇ ସବୁ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଗହଳି ଲାଗିଥାଏ | ଏହି ପର୍ବ ମହାଦେବଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ | ମହାପଞ୍ଚୁକରେ ହବିଷ୍ୟାଳିଙ୍କ ବିଷ୍ଣୁ ପୂଜନ ଓ ବଡଓଷାରେ ମହାଦେବଙ୍କ ଉପାସନାର ଉତ୍କଳୀୟ ପରମ୍ପରାରେ ବଡଓଷାର ସ୍ବତନ୍ତ୍ର ମହତ୍ତ୍ୱକୁ ଦର୍ଶାଏ |

ପଦ୍ମପୁରାଣ ଅନୁସାରେ, ଦେବରାଜ ଇନ୍ଦ୍ର ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ହେବା ପାଇଁ ବାବା ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ। କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଏକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର କରିବାକୁ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନ ଭାବେ ଯାଉଥିବାବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ଯାଇ ପହଞ୍ଚିଥିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା, କ୍ରତୁଙ୍କୁ ବିବାହ କରିବାର କାମନା କରି ପୂଜା କରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ ।

ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଭକ୍ତର ଏଭଳି ଅପମାନରେ ଶିବ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଲେ ଫଳରେ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟର ଉପାୟ ବିଷୟରେ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜା କୁଷ୍ଠରୋଗରେ ପୀଡିତ ହୋଇଛନ୍ତି ବୋଲି ସନ୍ୟାସୀ ଜଣଙ୍କ ରାଜାଙ୍କ ପତ୍ନୀକୁ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶ ଅନୁସାରେ ମହାନଦୀ ମଧ୍ୟରେ ଥିବା ଧବଳେଶ୍ବରଙ୍କ ନିକଟରେ ଶ୍ରଦ୍ଧାର ସହ ବଡ଼ଓଷା ବ୍ରତକୁ ପାଳନ କଲେ । ଶିବ ରାଣୀଙ୍କ ଭକ୍ତିରେ ତୋଷ ହୋଇ ବର ପ୍ରଦାନ କଲେ । ରାଜା କ୍ରତୁ ରୋଗମୁକ୍ତ ହୋଇ ରାଣୀ ଏବଂ ପୁତ୍ରଙ୍କ ସହ ଖୁସିରେ ରାଜତ୍ବ କଲେ । ଆଜି କଟକର ଧବଳେଶ୍ବର ପୀଠରେ ବିଶେଷ ପୂଜା କରାଯିବା ସହ ହରିହର ବେଶରେ ରୂପରେ ଦର୍ଶନ ଦେବେ ଠାକୁର |

ପ୍ରଥମେ ନିୟମ ଅନୁସାରେ ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ଏବଂ ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ। ଅରୁଆ ଚାଉଳ ଚୂନାରେ ଏହି ପିଠାକୁ ତିଆରି କରାଯାଇଥାଏ। ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତିର ପୁର ଦେଇ ପିଠାକୁ ପ୍ରସ୍ତୁତ କରାଯାଏ| ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠାକୁ ସେବନ କରିଥାନ୍ତି | ୨୦୨୦ ମସିହାରେ ଅର୍ଥାତ୍ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା। ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସଙ୍କୁଡି ଭୋଗ ଲାଗି ହୋଇଥିଲା । ପରେ ପରେ ମଙ୍ଗଳ ଆଳତୀ ତଡପଲାଗି ଓ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯାଇଥିଲା । ବାବା ଧବଳେଶ୍ଵରଙ୍କ ସ୍ଵତନ୍ତ୍ର ନୀତି କାନ୍ତି ସରିବା ପରେ ଶ୍ରୀ ଜିଉ ହରିହର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

ପୀଠରେ ରାତି ସାରା ଉଜାଗର ରହିଥିବା ଭକ୍ତମାନେ ମହାନଦୀରେ ବୁଡ ପକାଇ ବାବା ଧବଳେଶ୍ୱରଙ୍କ ହରିହର ବେଶ ଦର୍ଶନ କରିବା ସହିତ ଗଜଭୋଗ ପାଇଥିଲେ। ଏହି ଅବସରରେ ପୀଠରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ