Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିବ ଥଣ୍ଡା, ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଭୁବନେଶ୍ୱର,୬|୧୧: ନିକଟରେ ଦୁଇ ତିନିଦିନ ହେଲା ସାରା ରାଜ୍ୟରେ ହାଲୁକା ହାଲୁକା ଥଣ୍ଡା ପଡିବା ଆରମ୍ଭ ହେଲାଣି | କାର୍ତ୍ତିକ ମାସ ସରିବା କ୍ଷଣି ପହିଲି ଶୀତର ଆଗମନ ହୋଇଛି | ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟର ୧୭ଟି ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀରୁ ନିମ୍ନକୁ ଖସି ଆସିଥିବାବେଳେ ଫୁଲବାଣୀରେ ପାରଦ ୧୨.୫ ଡିଗ୍ରୀ ଛୁଇଁଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ|

୪ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବା ଦ୍ୱାରା ଉପକୂଳରୁ ଉତ୍ତର ଓ ଦକ୍ଷିଣରୁ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୧୪.୫, ଅନୁଗୋଳ ୧୫, କେନ୍ଦୁଝର ୧୫.୨, ରାଉରକେଲା ୧୫.୫, ଢେଙ୍କାନାଳ ୧୫.୮, ଭୁବନେଶ୍ବର ୧୭, କଟକ ଓ ବାରିପଦାରେ ୧୭.୬, ସମ୍ବଲପୁର ୧୮, ହୀରାକୁଦ ଓ ସୁନ୍ଦରଗଡ଼ରେ ୧୮.୨, ଚାନ୍ଦବାଲି ୧୯, ଭବାନୀପାଟଣା ୧୯.୪, ବାଲେଶ୍ବର ୧୯.୫ ଏବଂ ବଲାଙ୍ଗିରରେ ୧୯.୭ ଡିଗ୍ରୀ ପର୍ଯ୍ୟନ୍ତ ରହିଛି।

ଫୁଲବାଣୀରେ ୨.୫ ଡିଗ୍ରୀ ପାରଦ ଖସିଥିବାବେଳେ ଢେଙ୍କାନାଳରେ ୬.୩ ଡିଗ୍ରୀ, ଭୁବନେଶ୍ବରରେ ୩.୮ ଡିଗ୍ରୀ, ଅନୁଗୋଳରେ ୩ ଏବଂ ଝାରସୁଗୁଡ଼ାରେ ୩.୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିଛି । ବାୟୁ ମଣ୍ଡଳରେ ଦିନକୁ ଦିନ ଜଳୀୟ ବାଷ୍ପ ହ୍ରାସ ପାଉଛି। ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଉଛି। ଆଗକୁ ଆହୁରି ଥଣ୍ଡା ବଢ଼ିବାର ଅନୁମାନ କରାଯାଉଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ