ହରିୟାଣା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ମନ୍ତବ୍ୟ; ପ୍ରତିକ୍ରିୟା ରଖିଲେ ବ୍ରାଜିଲୀୟ ମଡେଲ
ନୂଆଦିଲ୍ଲୀ,୬|୧୧: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ‘ଏଚ୍-ଫାଇଲସ୍’ ନାମରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏହା ପରେ ହରିୟାଣା ରାଜନୀତି ଏବଂ ବିହାର ବିଧାନସଭା ନିର୍ବାଚନରେ ହଇଚଇ ସୃଷ୍ଟି ହୋଇଛି। ରାହୁଲ ଦାବି କରିଛନ୍ତି ଯେ, ହରିୟାଣା ବିଧାନସଭା ନିର୍ବାଚନରେ ପାଖାପାଖି ୨୫ ଲକ୍ଷ ମିଛ ଭୋଟ ଦିଆଯାଇଥିଲା। ଯେଉଁଥିରେ ଜଣେ ବ୍ରାଜିଲୀୟ ମଡେଲଙ୍କ ଛବି ମଧ୍ୟ ଭୋଟର ଲିଷ୍ଟରେ ଥିବା ଦେଖାଯାଇଛି।
ହରିୟାଣାରେ ଭୋଟର ଜାଲିଆତି କରିବା ପାଇଁ ଯେଉଁ ବ୍ରାଜିଲୀୟ ମଡେଲଙ୍କର ଫଟୋ ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତାଙ୍କୁ ‘ଲାରିସା’ ଭାବରେ ଚିହ୍ନଟ କରାଯାଇଛି। ଭୋଟର ତାଲିକାରେ ତାଙ୍କ ଫଟୋ ବ୍ୟବହାର ହେବା ଦାବି ଉପରେ ଏବେ ସେ ପ୍ରତିକ୍ରିୟା ଦେଇଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ନିର୍ବାଚନ କମିଶନ ଏବଂ ବିଜେପି ଉପରେ “ହରିଆଣାରେ କଂଗ୍ରେସକୁ ହରାଇବା ପାଇଁ ମିଳିତ ଭାବରେ କାମ କରୁଥିବା” ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ନକଲି ଭୋଟରମାନଙ୍କୁ ଜାଲିଆତି ଭୋଟ ଦେବା ପାଇଁ ବ୍ରାଜିଲୀୟ ମଡେଲଙ୍କ ଫଟୋକୁ ପ୍ରାୟ ୧୦ ଟି ବୁଥରେ ବ୍ୟବହାର କରାଯାଇଥିଲା ।
ତାଙ୍କର ଏହି ମନ୍ତବ୍ୟ ପରେ ଲୋକମାନେ ତାଙ୍କ ପରିଚୟ ଜାଣିବା ପାଇଁ ଅନଲାଇନରେ ମଡେଲଙ୍କୁ ଖୋଜିବା ଆରମ୍ଭ କରିଥିଲେ। ତେବେ ଏହା ମଧ୍ୟରେ ବ୍ରାଜିଲୀୟ ମଡେଲଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।ଯେଉଁଥିରେ ସେ ନିଜ ବିଷୟରେ କହିଛନ୍ତି।
ଭିଡିଓରେ ଲାରିସା ନାମକ ବ୍ରାଜିଲୀୟ ମଡେଲ ଜଣକ ହରିୟାଣାର ଭୋଟର ତାଲିକାରେ ତାଙ୍କ ଫଟୋ ବହୁବାର ବ୍ୟବହାର ହୋଇଥିବା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ମଡେଲ X ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ପର୍ତ୍ତୁଗୀଜ୍ ଭାଷାରେ କଥା ହୋଇ ସେ ମଜା କରି କହିଥିଲେ, “ବନ୍ଧୁଗଣ, ମୁଁ ତୁମକୁ ଏକ ମଜ୍ଜା କଥା କହିବି! ସେମାନେ ମୋର ଏକ ପୁରୁଣା ଫଟୋ ବ୍ୟବହାର କରୁଛନ୍ତି। ମୁଁ ପ୍ରାୟ 18-20 ବର୍ଷ ବୟସର ସେତେବେଳେ ହୋଇଥିବି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଭାରତୀୟ ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। କେହି ଜଣେ ଷ୍ଟକ୍ ଇମେଜରୁ ତାଙ୍କ ଫଟୋ କିଣି ଏହାର ଅପବ୍ୟବହାର କରିଛନ୍ତି | ଲାରିସା କହିଛନ୍ତି ଯେ, ଏହି ଘଟଣା ପରଠାରୁ ସେ ଭାରତୀୟ ସାମ୍ବାଦିକ ମାନଙ୍କ ଠାରୁ ବହୁ ମେସେଜ ମଧ୍ୟ ପାଇଛନ୍ତି।
ହରିୟାଣାରେ ନକଲି ଭୋଟ ପାଇଁ ତାଙ୍କ ଫଟୋ ବ୍ୟବହାର ହେଉଥିବା ନେଇ ରାହୁଲ ଗାନ୍ଧୀଙ୍କ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରାଜିଲ ମଡେଲ ଲାରିସା। ସେ କହିଛନ୍ତି ଯେ ଏହା ଏକ ପୁରୁଣା ଫଟୋ ଏବଂ ଏହାର ଅପବ୍ୟବହାର ହେଉଥିବା ବିଷୟରେ ତାଙ୍କୁ ଜଣାନଥିଲା। ବ୍ରାଜିଲୀୟ ମଡେଲ ଲାରିସା କହିଛନ୍ତି: “ନମସ୍କାର ଭାରତ, ମୋତେ ଭାରତୀୟ ସାମ୍ବାଦିକଙ୍କ ପାଇଁ ଏକ ଭିଡିଓ ତିଆରି କରିବାକୁ କୁହାଯାଇଥିଲା। ସେଥିପାଇଁ ମୁଁ ଏହି ଭିଡିଓଟି ତିଆରି କରୁଛି। ମୋର ଭାରତୀୟ ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ମୁଁ କେବେ ଭାରତ ଯାଇନାହିଁ। ମୁଁ ଜଣେ ବ୍ରାଜିଲୀୟ ମଡେଲ ଏବଂ ଡିଜିଟାଲ ଦୁନିଆରେ ପ୍ରଭାବଶାଳୀ ଥିଲି। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଏହି ସମ୍ପୂର୍ଣ୍ଣ ମାମଲାଟି ବହୁତ ଗମ୍ଭୀର ହୋଇଯାଇଛି। କିଛି ଭାରତୀୟ ସାମ୍ବାଦିକ ମୋ ଠାରୁ ମତ ମାଗୁଛନ୍ତି। କିଛି ଭାରତୀୟ ସାମ୍ବାଦିକ ମୋତେ ଖୋଜୁଛନ୍ତି ଏବଂ ମୋର ସାକ୍ଷାତକାର ନେବାକୁ ଚାହୁଁଛନ୍ତି। ବନ୍ଧୁଗଣ, ମୁଁ ସମସ୍ତଙ୍କୁ ସାକ୍ଷାତକାର ଦେଇଛି, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛି।”
“ତୁମେ ଜାଣିବା ଉଚିତ ଯେ ଏବେ ମୁଁ ଆଉ ମଡେଲିଂ ଦୁନିଆରେ କାମ କରୁନାହିଁ | ଏହା ମୁଁ ନଥିଲି, ଏହା କେବଳ ମୋର ଫଟୋ ଥିଲା। ଆପଣ କ’ଣ ଭାବୁଛନ୍ତି ମୁଁ ଭାରତୀୟଙ୍କ ଭଳି ଦେଖାଯାଉଛି? ମୁଁ ଭାବୁଛି ମୁଁ ମେକ୍ସିକାନ୍ ଦେଖାଯାଉଛି। ମୁଁ ଦିନେ ଭାରତର ଆଲୋଚନାର ପ୍ରସଙ୍ଗ ପାଲଟିବି ଏହା କେବେ ଭାବିନଥିଲି। ମୁଁ ଭାରତ କେବେ ଯାଇନାହିଁ କି ମୋର ରାଜନୀତି ସହ କୌଣସି ପ୍ରକାରର ସମ୍ପର୍କ ନାହିଁ।

