ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀର ଦିଏ ଅନେକ ଲାଭ; ଜାଣନ୍ତୁ କାହିଁକି ?
ଭୁବନେଶ୍ୱର,୭|୧୧: ଦୈନଦିନ ଜୀବନରେ ଆମେ କ୍ଷୀରକୁ ଏକ ଉପଯୁକ୍ତ ପୋଷକତତ୍ତ୍ୱ ଭାବରେ ବ୍ୟବହାର କରିଥାଉ |କ୍ଷୀରରେ ଗାଈ, ମଇଁଷି ଏବଂ ଛେଳିର କ୍ଷୀରକୁ ଆମେ ବ୍ୟବହାର କରିଥାଉ | ଏ ସବୁ କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ। ଏଥିରେ ଔଷଧୀୟ ଗୁଣ ଭରପୁର ରହିଛି। କିନ୍ତୁ ଏହା ମଧ୍ୟରେ ଛେଳି କ୍ଷୀର ଟିକିଏ ଭିନ୍ନ | ଅନେକ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ଛେଳି କ୍ଷୀରକୁ ଏକ ପ୍ରାକୃତିକ ଟନିକ୍ ଭାବରେ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ମଧ୍ୟ ଏହାକୁ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ବୋଲି ବର୍ଣ୍ଣନା କରାଯାଇଛି। ଡାକ୍ତରମାନେ ମଧ୍ୟ ଅନେକ ରୋଗ ପାଇଁ ଛେଳି କ୍ଷୀର ପିଇବାକୁ ପରାମର୍ଶ ଦେଇଥାଆନ୍ତି।
ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀର ଦ୍ୱାରା କେଉଁ ରୋଗ ଭଲ ହୋଇପାରିବ ଏବଂ ଶରୀରକୁ କି ଲାଭ ମିଳିବ| ଛେଳି କ୍ଷୀର ପିଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ହୋଇଥାଏ | ତାହା ସହିତ ଶରୀରରେ ଥିବା ବିଭିନ୍ନ ପ୍ରକାରର ଆଲର୍ଜି ମଧ୍ୟ ହ୍ରାସ ପାଇଥାଏ। ଯେଉଁମାନେ ଗାଈ କ୍ଷୀର ପିଇବା ଦ୍ବାରା ଗ୍ୟାସ ହୋଇଗଲା ଭଳି ଅନୁଭବ କରନ୍ତି, ସେମାନଙ୍କ ପାଇଁ ଛେଳି କ୍ଷୀର ଏକ ଉତ୍ତମ ବିକଳ୍ପ ହୋଇପାରେ।
ଛେଳି କ୍ଷୀରରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ଡି ଭରପୂର ମାତ୍ରାରେ ରହିଛି । ଯାହା ହାଡ଼କୁ ମଜବୁତ କରେ। ଯେଉଁମାନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହୋଇଥାନ୍ତି ସେମାନଙ୍କ ପାଇଁ ଛେଳି କ୍ଷୀର ଏକ ପ୍ରାକୃତିକ ଚିକିତ୍ସା ହୋଇପାରେ। ଏଥିରେ ଥିବା ସେଲେନିୟମ୍ ଏବଂ ଜିଙ୍କ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଭାଇରସ୍ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ | ଛେଳି କ୍ଷୀର ପିଇବା ଦ୍ୱାରା ଶ୍ୱାସ ରୋଗ ମଧ୍ୟ କିଛି ମାତ୍ରାରେ କମିଥାଏ |
ଡେଙ୍ଗୁ ଜ୍ୱର ସମୟରେ ଶରୀରରେ ପ୍ଲେଟଲେଟ୍ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥାଏ | ଯାହା ରୋଗୀଙ୍କ ଅବସ୍ଥାକୁ ଆହୁରି ଜଟିଳ କରିଥାଏ। କିଛି ଲୋକ ବିଶ୍ୱାସ କରନ୍ତି ଯେ, ଛେଳି କ୍ଷୀର ପିଇବା ଦ୍ୱାରା ପ୍ଲେଟଲେଟ୍ ସଂଖ୍ୟାରେ ବୃଦ୍ଧି ଘଟିଥାଏ| ଏହା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଶରୀରକୁ ଥଣ୍ଡା ରଖିଥାଏ। ଯେଉଁମାନେ ଆନିମିଆ (ରକ୍ତହୀନତା) ରୋଗରେ ପୀଡିତ ହୋଇଥାନ୍ତି, ସେମାନଙ୍କ ପାଇଁ ଛେଳି କ୍ଷୀର ଏକ ଉତ୍କୃଷ୍ଟ ପାନୀୟ ହୋଇପାରେ। ଏଥିରେ ଥିବା ଲୌହ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫସଫରସ୍ ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛେଳି କ୍ଷୀରକୁ ଆପଣ ଉଭୟ ଥଣ୍ଡା ଓ ଗରମ କରି ପାନୀୟରେ ବ୍ୟବହାର କରିପାରିବେ । ଏହା ଋତୁ ଓ ଆପଣଙ୍କ ଶରୀରର ଆବଶ୍ୟକତା ଉପରେ ନିର୍ଭର କରେ। ଶୀତଦିନେ ଉଷୁମ କ୍ଷୀର ପିଇବା ସବୁଠାରୁ ଅଧିକ ଶରୀରକୁ ଲାଭ ଦେଇଥାଏ | ତେବେ ଛେଳି କ୍ଷୀର କେବେବି ବିନା ସିଝେଇକି ପାନୀୟରେ ବ୍ୟବହାର କରିବା ଉଚିତ ନୁହେଁ | କାରଣ ଏଥିରେ ବ୍ୟାକ୍ଟେରିଆ କିମ୍ବା ପରଜୀବୀ ଥାଇପାରେ ଯାହା ସଂକ୍ରମଣ ସୃଷ୍ଟି କରିପାରେ। ସର୍ବଦା ଏହାକୁ ଭଲଭାବେ ଫୁଟାଇବା ପରେ ପିଇବା ଉଚିତ। ଛେଳି କ୍ଷୀରକୁ ଆପଣମାନେ ସକାଳେ ଖାଲି ପେଟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ପିଇ ପାରିବେ। ଛେଳି କ୍ଷୀର ଛୁଆଠୁ ଆରମ୍ଭ କରି ସବୁ ବୟସ୍କର ବ୍ୟକ୍ତିଙ୍କ ପାଇଁ ଭଲ ହୋଇଥାଏ | କିନ୍ତୁ ସେବନର ମାତ୍ରା ଅନୁସାରେ ଗ୍ରହଣ କରନ୍ତୁ | ଗାଈ କ୍ଷୀର ପିଇବା ଅପେକ୍ଷା ଛେଳି କ୍ଷୀର ଅଧିକ ଭଲ ହୋଇଥାଏ | କାରଣ ଗାଈ କ୍ଷୀର ପିଇବା ଦ୍ୱାରା ଅଧକ ଲୋକଙ୍କ ପାଖରେ ଗ୍ୟାସ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ | ଯୋଉଟା ଛେଳି କ୍ଷୀରରେ ଗାଈ କ୍ଷୀର ଅପେକ୍ଷା କମ ସମ୍ଭାବନା ଥାଏ |

