ଭେଣ୍ଟିଲେଟରରୁ ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ଭୁବନେଶ୍ୱର,10।11: ଓଲିଉଡର ପରିଚିତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କୁ ଆଜି ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ ତାରିଖରେ ଅଭିଜିତ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନେକ ଦିନରୁ ଲିଭର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ । ତେବେ ସେବେଠାରୁ ସେ କୋମା ଅବସ୍ଥାରେ ରହିଥିଲେ। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଭାବେ ଚିକିତ୍ସା ଚାଲିଛି।ଗତ ଅକ୍ଟୋବର ୨୩ରେ ତାଙ୍କର ଏମରାଇ ଏବଂ ବ୍ରେନ ସ୍କାନ କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା।
ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଏହା ସତ୍ତ୍ବେ ବି ତାଙ୍କର ନ୍ୟୁରୋଜିକାଲ ସମସ୍ୟାରେ କୌଣସି ସୁଧାର ହୋଇନଥିଲା ଓ ସେ କୋମାରେ ଥିଲେ। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ ବିଶେଷ ସୁଫଳ ମିଳିନାହିଁ। ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି। ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବରକୁ ଯାଇ ଡାକ୍ତରଙ୍କଠାରୁ ବିଶେଷ ତଥ୍ୟ ହାସଲ କରିବା ସହ ଡାକ୍ତରମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ମଧ୍ୟ କହିଥିଲେ।

