ଉପନିର୍ବାଚନର ଶେଷ ପ୍ରସ୍ତୁତି, ନୂଆପଡାରେ ପହଁଚିଲେ ପୋଲିଂ ଟିମ
ଭୁବନେଶ୍ୱର, 10।11: ଆସନ୍ତା କାଲି ନୂଆପଡା ଉପ ନିର୍ବାଚନ।ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ହେଲିକପ୍ଟର ଜରିଆରେ ପହଁଚିଲେ ପୋଲିଂ ଟିମ ନୂଆପଡାରେ। ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୮ଟି ବୁଥ୍ ମତଦାନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୦୧ଟି ସମ୍ବେଦନଶୀଳ, ୫୭ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୮ ଟି ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ସୋସେଙ୍କ ପଞ୍ଚାୟତ ଓ ସୁନାବେଡ଼ା ପଞ୍ଚାୟତର ୮ ଟି ବୁଥ୍ ରେ ମତଦାନ ହେବାର ଧାର୍ଯ୍ୟ କରାଯାଇଛି ।
ଏହି ସବୁ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ଓ ପ୍ରଭାବ ଥିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ବେଶି ରହୁଛି । ସେ ସବୁକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଏହି ପୋଲିଂ ଟିମକୁ ଭାରତୀୟ ବାୟୁ ସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ଦ୍ୱାରା ନିଆଯାଉଛି। ମୋଟ ୪ ଥର ଏହି ହେଲିକପ୍ଟର ଉଡାଣ ଭରିବ। ପ୍ରତି ଥର ଉଡାଣରେ ୨ଟି ଟିମ ଯିବ ।
ସେଠାରେ ଟିମ୍ ପହଁଞ୍ଚିବା ପରେ ସିଆରପିଏଫ୍, ବିଏସ୍ଏଫ୍ ଓ ଓଡିଶା ପୁଲିସର ଏସ୍ଓଜି କମାଣ୍ଡୋ ତାଙ୍କୁ ସୁରକ୍ଷା ପ୍ରଦାନ କରି ବୁଥ୍ କୁ ନେଇଯିବେ। ସୁନାବେଡାରେ ଜିଓ ମୋବାଇଲ୍ ନେଟ୍ଓ୍ବର୍କ କାମ କରୁଥିବାରୁ ପ୍ରତି ଟିମକୁ ଗୋଟିଏ ଲେଖାଏଁ ଜିଓ ସିମ୍ ପ୍ରଦାନ କରାଯାଇଛି। ପୋଲିଂ ଟିମକୁ ପ୍ରତି ଏକ ଘଣ୍ଟାରେ ଫୋନ କରି ସୁବିଧା ଅସୁବିଧା ବୁଝାଯିବ।

