ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ପ୍ରାଚୀର ପତ୍ର ଘାସ ଫୁଲ ଉନ୍ମୋଚିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପବିତ୍ର ଶିଶୁ ଦିବସ ଅବସରରେ ଅନୁଷ୍ଠାନର ବାର୍ଷିକ ପ୍ରାଚୀର ପତ୍ର ଘାସ ଫୁଲର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ଅଶୋକ କୁମାର ପଣ୍ଡା ମୁଖ୍ୟଅତିଥି ଓ ଶିଶୁ ସାହିତ୍ୟିକ ସନ୍ତୋଷ ଅଦାବର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଶିକ୍ଷକ ସୁରେନ୍ଦ୍ର କୁମାର ଓତା ସଭା ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସ୍ବରଚିତ ଗଳ୍ପ କବିତା ସବୁକୁ ନେଇ ଅନୁଷ୍ଠାନର ବାର୍ଷିକ ପ୍ରାଚୀର ପତ୍ର ଘାସ ଫୁଲର ପଞ୍ଚମ ସଂସ୍କରଣ ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଅତିଥି ଗଣ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ଉଚ୍ଚ ପ୍ରଶଂସା କରି ଏହି ଅଭ୍ୟାସକୁ ଜାରି ରଖିବାକୁ ଉପଦେଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀସାହୁଙ୍କ ପ୍ରେରଣା କ୍ରମେ ଛାତ୍ର ଛାତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶିକ୍ଷକ ପ୍ରଭୁଦତ୍ତ ବେଦୋକ୍ତା ଓ ଶିକ୍ଷୟିତ୍ରୀ ମିନାକ୍ଷୀ ପ୍ରଧାନ ସହଯୋଗ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଗୌରୀ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ ।

