ଚାକିରୀ ଦେବା ନାଁରେ ଲୋକଙ୍କୁ ଠକି ଜେଲ ଗଲେ ବିଜେଡି ନେତା
ନୟାଗଡ;୧୫|୧୧: ଚାକିରୀ ଦେବା ନାମରେ ବିଭିନ୍ନ ସ୍ଥାନରେ ଠକେଇ ହେଉଛି | ସେ କୌଣସି ସରକାରୀ ଚାକିରୀ ହେଉ ଅବା ବେସରକାରୀ ଚାକିରୀରେ ଏହି ଭଳି ଭାବରେ ଚାକିରୀ ଦେବା ନାମରେ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି | ତେବେ ଏହିଭଳି ଏକ ସମାନ ଘଟଣା ଘଟିଛି ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରେ | ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି |
ଏହି ଅଭିଯୋଗରେ ରଣପୁର ପୋଲିସ ବିଜେଡି ନେତା ଆଲୋକ ପଟ୍ଟନାୟକ (୫୨)ଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଶୁକ୍ରବାର ଆଲୋକଙ୍କୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁଯାଇ, ଫତେଗଡ ଥାନା ବାଇଗୁଣିଆ ଗାଁର ଆଲୋକ ପଟ୍ଟନାୟକ ଭୁବନେଶ୍ୱର ରସୁଲଗଡ଼ ବଜରଙ୍ଗବିହାର ଲେନ୍ ୨ ଚକେଇସିହାଣିରେ ରୁହନ୍ତି। ସେ ନିଜକୁ ବିଜେଡିର ଜଣେ ପ୍ରତିଷ୍ଠିତ ରାଜନେତା ବୋଲି ପରିଚୟ ଦେଇ ୫ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡିର ସଙ୍ଗଠନ କରୁଥିଲେ। ବିଜେଡିର ବିଭିନ୍ନ ସଭା ସମିତିରେ ଆଲୋକ ପ୍ରମୁଖ ଭୂମିକା ନେଉଥିବା ଦେଖିବାକୁ ମିଳିଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେଉଛନ୍ତି ବୋଲି ବିଭିନ୍ନ ସ୍ଥାନରେ ହୋର୍ଡିଂ, ପୋଷ୍ଟର ମାରିଥିଲେ। ହେଲେ ବିଧାୟକ ଟିକେଟ ସେ ପାଇ ନ ଥିଲେ।
ଅପରପକ୍ଷେ ରାଜନୀତି ସହ ସେ ସମାଜସେବା ନାମରେ ଯୁବକମାନଙ୍କୁ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଟଙ୍କା ନେଇଥିଲେ। ହେଲେ ଯୁବକମାନେ ଚାକିରି ନ ପାଇବାରୁ ଆଲୋକଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ। ଡମସାହି ଗାଁର ଭାଗୀରଥି ପଲେଇଙ୍କ ଅଭିଯୋଗକ୍ରମେ ରଣପୁର ପୋଲିସ ଆଲୋକ ଓ ତାଙ୍କ ସ୍ତ୍ରୀ ଅନସୂୟାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଦଫା ୨୯୬, ୨୧୮(୨), ୩୧୮(୩), ୩୧୮(୪), ୩୫୧(୩), ୬୧(୨)ରେ ନଂ. ୩୪୦/୨୫ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ଭାଗୀରଥିଙ୍କ ଭଣଜାକୁ ଅଗ୍ନଶିମ ବିଭାଗର ଡ୍ରାଇଭର ନିଯୁକ୍ତି କରାଇଦେବା କହି ଆଲୋକ ୧୦ ଲକ୍ଷ ଟଙ୍କା ମାଗିଥିଲେ। କଥା ଅନୁସାରେ, ଆଲୋକ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଭାଗୀରଥି ବିଭିନ୍ନ କିସ୍ତିରେ ଫୋନ ପେ ଆକାଉଣ୍ଟରେ ୭ଲକ୍ଷ ୨୦ ହଜାର ଦେଇଥିଲେ। ହେଲେ ଆଲୋକ ଚାକିରି ବ୍ୟବସ୍ଥା କରାଇ ପାରିନଥିଲେ କି ଟଙ୍କା ଫେରାଇ ନ ଥିଲେ। ଶେଷରେ ଭାଗୀରଥି ଗତ ୧୦ ତାରିଖରେ ରଣପୁର ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ।

