ରେଳଯାତ୍ରୀଙ୍କ ପାଇଁ ବଡ ଖବର ; ଦେଶରେ ଗଡିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ
ନୂଆଦିଲ୍ଲୀ;୨୦|୧୧: ଟ୍ରେନ ଯାତ୍ରୀଙ୍କ ପାଇଁ ରେଳମନ୍ତ୍ରୀଙ୍କ ତରଫରୁ ମିଳିଲା ଖୁସି ଖବର | ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ବନ୍ଦେଭାରତ ସ୍ଲିପର ଟ୍ରେନ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ବର୍ଷ ଡିସେମ୍ବର ମାସରୁ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ରେଳ ଟ୍ରାକରେ ଚାଲିବ। ଏହି ଅତ୍ୟାଧୁନିକ ଟ୍ରେନ୍ରେ ଯାତ୍ରୀମାନେ ଏବେ ଆରାମଦାୟକ ତଥା ବିଶ୍ୱସ୍ତରୀୟ ସୁବିଧା ସହ ଯାତ୍ରା କରିବାର ସୁଯୋଗ ପାଇଁ ସହିତ ନିଜର ଯାତ୍ରାକୁ ମଧ୍ୟ ଉପଭୋଗ କରିପାରିବେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ” ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍ରେ ବାକିଥିବା ଅଳ୍ପ କିଛି କାମ ଚାଲିଛି । ଏହି ରେଟ୍ରୋଫିଟିଂ ପରେ, ଡିସେମ୍ବରରେ ଟ୍ରେନ୍ଟି ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକ୍ଷମ ହେବ । ପୂର୍ବରୁ ପ୍ରଥମ ଟ୍ରେନ୍ର ପରୀକ୍ଷଣ ସମୟରେ ବିଶେଷକରି ବଗି ଏବଂ ସିଟ୍କୁ ନେଇ କିଛିଟା ଛୋଟ ଛୋଟ ସମସ୍ୟା ସାମ୍ନାକୁ ଆସିଥିଲା । ସେଗୁଡ଼ିକର ସମାଧାନ କରାଯାଉଛି । ଏକ ବିଳାସପୂର୍ଣ୍ଣ ଟ୍ରେନ୍ ନିର୍ମାଣ କରି ଯାତ୍ରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।”
ଜରୁରୀକାଳୀନ ଆଲାର୍ମ ବଟନ୍କୁ ଉପର ବର୍ଥ ପଛରୁ ରଖାଯାଇଛି ଯେଉଁଠାରେ ଯାତ୍ରୀମାନେ ସହଜରେ ଏହାକୁ ଦବାଇପାରିବେ । ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ୱତନ୍ତ୍ର କେବୁଲ୍ ଏବଂ ଆର୍କ୍ ଫଲ୍ଟ ଚିହ୍ନଟ ଡିଭାଇସ୍ ଲଗାଯାଇଛି । CCTV ପାଇଁ ଅଗ୍ନିପ୍ରତିରୋଧୀ କେବୁଲ୍ କନେକ୍ଟ କରାଯାଇଛି । ସୁରକ୍ଷାମାନ ଯାଞ୍ଚ କରିବ ତୃତୀୟ ପକ୍ଷ ।
ପୂର୍ବରୁ ଅନେକ ଥର ବନ୍ଦେଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ସ୍ଥଗିତ ରଖାଯାଇଥିଲା । ପ୍ରଥମେ ଅକ୍ଟୋବର ୧୫ ତାରିଖ ପାଇଁ ଲଞ୍ଚ ତାରିଖ ସ୍ଥିର କରାଯାଇଥିଲା, କିନ୍ତୁ ଏବେ ଏହା ନିଶ୍ଚିତ ହୋଇଛି ଯେ ଟ୍ରେନଟି ଡିସେମ୍ବରରେ ଟ୍ରାକକୁ ଆସିବ । BEML ବର୍ତ୍ତମାନ ୧୦ ଟି ସ୍ଲିପର ବନ୍ଦେ ଭାରତ ଟ୍ରେନ ନିର୍ମାଣ କରୁଛି ।
କମ୍ପାନିର ଜଣେ ଅଧିକାରୀଙ୍କ ଅନୁଯାୟୀ, “ପ୍ରଥମ ଟ୍ରେନଟି ଏକ ପ୍ରୋଟୋଟାଇପ୍ ଥିଲା, ତେଣୁ ଏହାର ପ୍ରତ୍ୟେକ ପାରାମିଟରରେ ବ୍ୟାପକ ପରୀକ୍ଷଣ କରାଯାଇଥିଲା। ଆଉ ଏବେ ଏଥିରେ ଆହୁରି ଉନ୍ନତ କରାଯାଉଛି ।”

