୨୩ ମୋତି, ୧୪୦୦ ହୀରା ଖଚିତ ମିସ୍ ୟୁନିଭର୍ସ ମୁକୁଟ; କେତେ ଦାମୀ ? ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ
ମେକ୍ସିକୋ;୨୪|୧୧: ଚର୍ଚ୍ଚାରେ ମେକ୍ସିକୋର ଫାତିମା ବୋଶ୍ | ଯିଏକି ମିସ୍ ୟୁନିଭର୍ସ ୨୦୨୫ର ଏହି ମୁକୁଟକୁ ନିଜ ନାଁରେ କରିଛନ୍ତି । ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଆୟୋଜିତ ହୋଇଥିବା ସମାରୋହରେ ତାଙ୍କୁ ମିସ୍ ୟୁନିଭର୍ସ ଘୋଷିତ କରାଯାଇଥିଲା । ସେହି ଗୋଟିଏ ମୁକୁଟ ଯିଏ ଜଣେ ସୁନ୍ଦରୀ ଯୁବତୀଙ୍କ ଭବିଷ୍ୟତକୁ ସମ୍ପୁର୍ଣ୍ଣ ଭାବରେ ପରିବର୍ତ୍ତନ କରିଦିଏ । ଯାହା ପାଇଁ କେତେ ସୁନ୍ଦରୀ ନିଜର ସବୁ ସ୍ୱପ୍ନକୁ ବାଜି ଲଗେଇଦିଅନ୍ତି |ଏହି ମୁକୁଟ ସାରା ଦୁନିଆରେ ଚର୍ଚ୍ଚିତ କରାଏ | ସମ୍ମାନ ସହିତ କାମ ଏବଂ ଟଙ୍କା ରୋଜଗାରର ବାଟ ଫିଟାଏ | ଶେଷରେ ଇତିହାସରେ ନାଁ ମଧ୍ୟ ଲେଖାଇଦିଏ ।
ତେବେ ଏହି ମୁକୁଟ କେତେ ମୂଲ୍ୟବାନ ଏବଂ ଏହାର ପ୍ରକୃତ ମୂଲ୍ୟ କେତେ ତାହା ସମସ୍ତେ ଜାଣିବାକୁ ଚାହିଁଥାନ୍ତି | ତେବେ ଏହାର ଇତିହାସ କଣ ରହିଛି ? ୧୯୫୨ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚଳିତବର୍ଷ ୭୪ ତମ ସଂସ୍କରଣରେ ପହଞ୍ଚିଥିଲା । ଏହି ଯାତ୍ରାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି କ୍ରାଉନ୍ ପିନ୍ଧିସାରିଲେଣି ୧୦ ଜଣ ବିଶ୍ବସୁନ୍ଦରୀ । ଏହି କ୍ରାଉନକୁ ଡାଇମଣ୍ଡ ନେକ୍ସସ୍ ଲ୍ୟାବ୍ସ, ଡିଆଇସି ଏବଂ ମିକିମୋଟୋ ସମେତ ଅନେକ ଭିନ୍ନ ଭିନ୍ନ କମ୍ପାନି ଦ୍ୱାରା ନିର୍ମିତ କରାଯାଇଛି । ବିଶ୍ବସୁନ୍ଦରୀ ମୁକୁଟକୁ “ଦି ଲାଇଟ୍ ଅଫ୍ ଇନଫିନିଟି” ବୋଲି ମଧ୍ୟ କୁହାଯାଏ । ଯାହାକୁ ଫିଲିପାଇନ୍ସ କମ୍ପାନି ଜୁଏଲମର୍ ଡିଜାଇନ୍ କରିଥାନ୍ତି।
ସବୁଠାରୁ ବଡ଼ କଥା ହେଉଛି ଏହି ମୁକୁଟ ମେସିନ୍ ଦ୍ୱାରା ନୁହେଁ, ବରଂ ଏହାକୁ ହାତରେ ତିଆରି କରାଯାଏ । ହାତରେ ତିଆରି ଏହି କ୍ରାଉନ୍ ସାଉଥ୍ ଗୋଲ୍ଡେନ୍ ପର୍ଲ ପାଇଁ ବେଶ୍ ଚର୍ଚ୍ଚିତ ଯାହାକୁ ଫିଲିପାଇନ୍ସର ଜାତୀୟ ରତ୍ନ ବୋଲି କୁହାଯାଏ । କ୍ରାଉନଟି ୧୮ କ୍ୟାରେଟ୍ ସୁନାରେ ତିଆରି ଏବଂ ଏଥିରେ ୧୪୦୦ ହୀରା ଖଚିତ ହୋଇଛି ଯାହା କ୍ରାଉନର ଶୋଭାକୁ ଦ୍ବିଗୁଣିତ କରୁଛି । ମିସ୍ ୟୁନିଭର୍ସ ମୁକୁଟରେ ୨୩ଟି ସାଉଥ୍ ଗୋଲ୍ଡେନ୍ ମୋତି ବ୍ୟବହାର କରାଯାଇଛି । ଏହି ମୋତିକୁ ଦୁର୍ଲଭ ବୋଲି କୁହାଯାଏ କାରଣ ଫିଲିପାଇନ୍ସର ଗଭୀର ସମୁଦ୍ରରେ ଏହା ମିଳିଥାଏ । ଯାହାକୁ ପାଇବା ଭାଗ୍ୟର କଥା ବୋଲି କୁହନ୍ତି ଫିଲିପାଇନ୍ସର ଲୋକେ । ଏହି କ୍ରାଉନକୁ ତିଆରି କରିବା ପାଇଁ ମହମର କୋଟ୍ ଦିଆଯାଏ । ଫିଲିପାଇନ୍ସରେ ବିଶ୍ବସୁନ୍ଦରୀ ମୁକୁଟ ତିଆରି କରିବା ଏକ ପରମ୍ପରା । ଏହାର କାରଣ ହେଉଛି ଏହି କାମକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇ ଚାଲିଛନ୍ତି । ଗହଣା କାରିଗର ପ୍ରଥମେ ଡିଜାଇନ୍ ତିଆରି କରିଥା’ନ୍ତି । ତା’ପରେ ମହମ ମଡେଲ୍ ଦିଆଯାଏ ତା’ପରେ ଆସେ ମୋତି ଏବଂ ଅନ୍ୟାନ୍ୟ କାମର ପ୍ରକ୍ରିୟା ।
ଫାତିମା ବୋଶ ମିସ୍ ୟୁନିଭର୍ସ ୨୦୨୫ ଜିତିବା ପରେ ବିବାଦର ସମ୍ମୁଖୀନ ହୋଇଥିଲେ । ପ୍ରତିଯୋଗିତାର ନିର୍ଦ୍ଦେଶକ ନାୱାଟ୍ ଇଟସାରାଗ୍ରିସିଲ୍ ତାଙ୍କୁ ମଞ୍ଚ ଉପରେ ଭର୍ତ୍ସନା କରିଥିଲେ | ଯାହାକୁ ସେ ଅସମ୍ମାନଜନକ ବୋଲି ଭାବି ମଞ୍ଚ ଛାଡ଼ି ଦେଇଥିଲେ । ପରେ ସେ ସମ୍ମାନର ସହ ଫେରିଲେ ଏବଂ କ୍ରାଉନକୁ ନିଜ ନାଁରେ କଲେ ।

