ଚର୍ଚ୍ଚାରେ ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ ; କହିଲେ – “ଅନ୍ୟ ମୁଣ୍ଡରେ ଅଠା ବୋଳ , ଏହା ହେଉଛି ତାମିଲ୍ ଖେଳ…..”
“ଅନ୍ୟ ମୁଣ୍ଡରେ ଅଠା ବୋଳ
ଏହା ହେଉଛି ତାମିଲ୍ ଖେଳ
ଅନାମ ବାବୁଙ୍କ ମୁହଁରେ କୁହାଇ
ପୁରୁଖାଙ୍କୁ ଦେଉଛି ସେ ଫସାଇ
ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ
ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ
ଧମକ ଦେଲେଣି ପାଲତୁ ବାବୁ
ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ସବୁ
ଧନ୍ୟରେ ଆମ ବିଜୁପ୍ରେମୀ
ହେଇଗଲ ସବୁ ଭଣ୍ଡ ଅନୁଗାମୀ “
ଭୁବନେଶ୍ୱର;୨୬|୧୧: ଚର୍ଚ୍ଚାରେ ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ | ସବୁବେଳେ ବିବାଦରେ ରହୁଥିବା ଏବଂ ବିଜେଡି ଦଳକୁ ବିବାଦରେ ପକାଉଥିବା ଏହି ଶ୍ରୀମୟୀ ମିଶ୍ର ଆଜି ତାଙ୍କ ପୋଷ୍ଟ ପାଇଁ ଭାଇରାଲ ହେଉଛନ୍ତି |ପୂର୍ବରୁ ମଧ୍ୟ ସେ ଏହିଭଳି ଭାବରେ ବିଜେଡି ନେତାମାନଙ୍କୁ କଟାକ୍ଷ କରି ନିଜ ଭାଷାରେ ସେ ତେରେଛା ତୀର ମାରନ୍ତି | କିନ୍ତୁ ଆଜିର ଏହି ଫେସବୁକ ପୋଷ୍ଟ ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି | ବିଧାନସଭା ନିର୍ବାଚନ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି | କେଉଁଠି ଦଳ ଦଳ ମଧ୍ୟରେ ଅଙ୍କ କଶାକସି ଚାଲିଥିବା ବେଳେ ଏଠି ବିଜେଡି ଦଳ ମଧ୍ୟରେ ବାଣ ଏବଂ ତୀର ମରାମରି ଚାଲିଛି | ରାଜନୀତି ଖେଳ ମଧ୍ୟରେ ବାରମ୍ବାର ହାରିବା ପରେ ଏବେ ଦଳ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ଶ୍ରୀମୟୀଙ୍କର ଏହି ଫେସବୁକ୍ ପୋଷ୍ଟରେ ଏହି ୧୦ ଧାଡି କବିତାଟି କାହା ପାଇଁ ଲେଖାହେଇଛି, ଆଉ କାହାକୁ ଇଙ୍ଗିତ କରି ଲେଖାଯାଇଛି, ତା ତ ସମସ୍ତେ ଜାଣିଛନ୍ତି । ଏହି ପୋଷ୍ଟ ପାଇଁ ଆଉଥରେ ଆଘାତ ପାଇଛି ବିଜେଡି ଦଳ |
ଏହା ପୂର୍ବରୁ ଶ୍ରୀମୟୀଙ୍କର ଅନେକ ପୋଷ୍ଟ ଭାଇରାଲ୍ ହୋଇଛି । ପ୍ରଥମ ଧୃତରାଷ୍ଟ୍ର ଆଉ ଭଣ୍ଡ ସନ୍ନ୍ୟାସୀ ପୋଷ୍ଟ ଆଉ ତା ପରେ ପରେ ନୂଆପଡ଼ା ପରାଜୟ ପଛର କାରଣକୁ ନେଇ ବିଜେଡିକୁ ସବୁବେଳେ ସିଧା ନିଶାନା କରିଛନ୍ତି ଶ୍ରୀମୟୀ ମିଶ୍ର । ଆଉ ତାଙ୍କର ଏହି ନୂଆ ପୋଷ୍ଟ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।
ଶ୍ରୀମୟୀଙ୍କୁ ଯେବେଠୁ ଦଳ ବିଦା କରିଦେଇଛି , ସେବେଠୁ ତାଙ୍କର ଗୋଟିଏ ପରେ ଗୋଟିଏ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଜେଡି ନେତାଙ୍କୁ ଟାର୍ଗେଟ୍ କରିବା ସହ ଶ୍ରୀମୟୀ ଲଗାତାର ତାମିଲ ବାବୁ କଥା ଉଠେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଛନ୍ତି ।

