ରାତି ଅଧରେ ବାଲି ଘାଟରେ ଚଢାଉ ; ୫୦ରୁ ଅଧିକ ବାଲି ଗାଡ଼ି ଜବତ କରିଛି ପୋଲିସ
ଜଗତସିଂହପୁର;୨୬|୧୧: ରାତି ଯେତିକି ବଢ଼ିବାରେ ଲାଗିଛି ବାଲି ମାଫିଆଙ୍କ କାଣ୍ଡକାରନାମା ସେତିକି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ ପରେ ଏବେ ଏ ସବୁର ଶିକାର ହୋଇଛି ଜଗତସିଂହପୁର ଜିଲ୍ଲା | ଏଠାରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ଚାଲିଛି। ଖବରପାଇବା ମାତ୍ରେ ବାଲି ଘାଟରେ ରାତି ଅଧିଆ ଚଢାଉ କରିଥିଲା ପୋଲିସ । ୫୦ରୁ ଅଧିକ ବାଲି ଗାଡ଼ି ଜବତ ହୋଇଥିଲା । ତିର୍ତ୍ତୋଲ ଅଞ୍ଚଳ ବାଲିପାଟଣାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ DIG, ଜିଲ୍ଲାପାଳ ଜଗତସିଂହପୁର, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ SP ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଚଢାଉରେ ସାମିଲ୍ ଥିଲେ। ଘଟଣାସ୍ଥଳୀରେ ୫ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ମାଫିଆଗୋଷ୍ଠୀ ମେସିନ ସାହାଯ୍ୟରେ ବାଲି ଚୋରି କରିବା ସହ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଥିଲେ । ଏହାଦ୍ୱାରା ପରିବେଶ ଅସନ୍ତୁଳନ ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି । ଜଗତସିଂହପୁରରେ ବାଲି ଚୋରା ଚାଲାଣ ଏବେ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି। ଦିନରାତି ମେସିନ୍ ଲଗାଇ ହାଇଓ୍ବା, ଟ୍ରକ ଓ ଟ୍ରାକ୍ଟରରେ ବାଲି ଲୁଟ୍ ଚାଲିଛି। ଏହାଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି | ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଗାଁ ଗଣ୍ଡା ଘାଟଗୁଡ଼ିକରେ ପୋଖରୀ ଭଳି ଗାତ ଖୋଳାଯାଇ ବଡ଼ ବଡ଼ ମେସିନ୍ ଲଗାଇ ନଦୀପଠାରୁ ବାଲି ଉଠାଯାଉଛି। ଏହି ଚୋରା ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଉପରେ ମାଫିଆଙ୍କ ଆକ୍ରମଣ ମଧ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
କେବଳ ସେତିକି ନୁହେଁ, ପ୍ରତିଦିନ ଶହଶହ ଭାରୀଯାନ ଚଳାଚଳ କରୁଛି ଏହି ଗାଁ ରାସ୍ତା ଦେଇ। ବାଲି ବୋଝେଇ ଗାଡ଼ି ଯିବାରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଗଲାଣି। ପରିସ୍ଥିତି ଏପରି ହୋଇଛି ଯେ ଗାଁକୁ ଆମ୍ବୁଲାନ୍ସ କି ଗ୍ୟାସ୍ ଗାଡ଼ି ଭଳି ଜରୁରୀକାଳୀନ ସେବା ପହଞ୍ଚିବା କଷ୍ଟକର ହୋଇପଡୁଛି ।

