Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଥ୍ ଭ୍ୟାକେନ୍ସି: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା; ଭତ୍ତା ପାଇଁ ଅନ୍ୟର ମୃତ୍ୟୁ ଅପେକ୍ଷାରେ ୮୬ ବର୍ଷୀୟ ମହିଳା

ସମ୍ବଲପୁର;୨୬|୧୧: କେଉଁଠି ଲୋକେ ଜୀବନରୁ ମୁକ୍ତି ପାଇବା ପାଇଁ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି | କିନ୍ତୁ ଏଠି କିଛି ଅଲଗା ଘଟଣା ଘଟିଛି | ମଣିଷ ଭତ୍ତା ପାଇଁ ଅନ୍ୟର ମୃତ୍ୟୁକୁ ଅପେକ୍ଷା କରିଛି । ରାଜ୍ୟ ସରକାରଙ୍କର ଏହି ଅଜବ ନିୟମ ପାଇଁ ଲୋକେ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ସମ୍ବଲପୁରରେ ଏହି ନିୟମ ପାଇଁ ଭତ୍ତା ପାଉନାହାନ୍ତି ୧୩ ହଜାରରୁ ଅଧିକ ହିତାଧିକାରୀ । ସରକାରୀ ନିୟମ ଅନୁଯାୟୀ , ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଯାଇ ଆଉ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଭତ୍ତା । ପଛକୁ ପଛ ଧାଡି ଲାଗିଲା ପରି ଭତ୍ତା ପାଇବା ପାଇଁ ଏବେ ମରଣର ଅପେକ୍ଷା କରିବାକୁ ପଡି଼ବ | ଅନ୍ୟ ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏହାକୁ ସରକାରୀ ଭାଷାରେ ଡେଥ୍ ଭ୍ୟାକେନ୍ସି କୁହାଯାଏ । ଅର୍ଥାତ ମୃତ୍ୟୁ ପରେ ଖାଲି ହେଉଥିବା ସ୍ଲଟରେ ନୂଆ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି ।

ଏହି ଅଜବ ନିୟମ ପାଇଁ କେବଳ ସମ୍ବଲପୁର ଜିଲ୍ଲା ନୁହେଁ ବରଂ ରାଜ୍ୟର ସମସ୍ତ ଜିଲ୍ଲାର ମୋଟ ୧୩ ହଜାର ୪୩୧ ଜଣ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରିଛନ୍ତି । ଏମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ହେଲେ ସୁଦ୍ଧା ଅନ୍ୟ ହିତାଧିକାରୀଙ୍କ ମୃତ୍ୟୁ ପରେ ହିଁ ଏମାନଙ୍କୁ ଭତ୍ତା ମିଳିବ । ସମ୍ବଲପୁର କୁଚିଣ୍ଡା ବ୍ଲକ ଜଟିଆପାଲି ଗାଁର ୮୬ ବର୍ଷୀୟା ଗୋମତୀ ବାଦୀ । ବୟସ ଅନୁସାରେ ସେ ୩୫୦୦ ଟଙ୍କା ଭତ୍ତା ପାଇବା କଥା । କିନ୍ତୁ ପାଉଛନ୍ତି ୧୦୦୦ ଟଙ୍କା। ୩୫୦୦ ଭତ୍ତା ପାଇଁ ଆବେଦନ କରିଛନ୍ତି । ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି । କିନ୍ତୁ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳିପାରୁନି । ଆଉ ଏହାର କାରଣ ହେଲା ସେହି ଅଜବ ନିୟମ । ଡେଥ୍ ଭେକେନ୍ସି ହେଲେ ଯାଇ ଗୋମତୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ସରକାର ଅଧିକ ଟାର୍ଗେଟ ଦେଉନଥିବାରୁ ଏଭଳି ନିୟମ ଚାଲିଥିବା ଜଣାପଡ଼ିଛି । ଜିଲ୍ଲାରେ ୯୦ ଜଣ ହିତାଧିକାରୀ ୮୦ ବର୍ଷ ପାର୍ କରିସାରିଥିଲେ ସୁଦ୍ଧା ଅନ୍ୟର ମୃତ୍ୟୁ ହେଉନି ବୋଲି ତାଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିପାରୁନି । ଏନେଇ ଆମେ ମନ୍ତ୍ରୀ ରବି ନାୟକଙ୍କୁ ପଚାରିଥିଲୁ କିନ୍ତୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ