ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ପଞ୍ଚାୟତ ସଦର ମହକୁମା ବିଛଣା ନାଳ ଉପରେ ନିର୍ମାଣ ହେଉଥିବା ଆଡିବନ୍ଧ କାମ ଅତି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି l ଉକ୍ତ ନାଳ ଉପରେ ନାଳର ମୃତିକା କ୍ଷୟ ରୋକିବା ସହ ଚାଷ ଜମିକୁ ପାଣି ମଡାଇବା ଲକ୍ଷ୍ୟରେ ସରକାର ଆଡି ବନ୍ଧ ନିର୍ମାଣ କରୁଛନ୍ତି । ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ବୃହତ ଉଦ୍ଦେଶ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୁରା ଅଲଗା । ଜନସାଧାରଣଙ୍କ ସ୍ୱାର୍ଥକୁ ପଛରେ ପକାଇ ଠିକାଦାର ପୋଷା ନୀତିରେ ଆଡି ବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି । ଠିକାଦାର ଏବଂ ଅଧିକାରୀଙ୍କ ସଲାସୁତୁରାରେ ନିର୍ମାଣଧିନ ଆଡି ବନ୍ଧ ଅତି ନିମ୍ନମାନର ହେଉଥିବା ଦେଖାଯାଇଛି । ନିର୍ମାଣଧିନ ଆଡି ବନ୍ଧରେ ଅତି ନିମ୍ନମାନର କଂକ୍ରିଟ ଢଳେଇ ହେଉଥିବା ଦେଖାଯାଇଛି । ଫଳରେ ହାତ ମାରିଦେଲେ କଂକ୍ରିଟ ଖଣ୍ଡ ସବୁ ତଳେ ପଡିଯାଉଛି । ଏଥିସହ ଆବଶ୍ୟକ ମୁତାବକ ଲୁହା ଛଡ ବ୍ୟବହାର ହୋଇନଥିବା ବେଳେ ନିମ୍ନମାନର ବାଲି ବ୍ୟବହାର କରାଯାଉଛି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦୁର୍ନିତୀ ଲୁଚାଇବାକୁ ଯାଇ ନିର୍ମାଣ ସମୟରେ ଆଡି ବନ୍ଧରେ ସୃଷ୍ଟି ହୋଇଥିବା ଫାଟ ଉପରେ ପ୍ଲାଷ୍ଟର ପକାଯାଉଛି । ସୂଚନା ଅନୁଯାୟୀ ପଂଚାୟତ ସମିତି ସହାୟତାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ଆଡି ବନ୍ଧ ନିର୍ମାଣ କରାଯାଉଛି । ମାତ୍ର ନିର୍ମାଣଧିନ ଏହି ଆଡିବନ୍ଧର ସ୍ଥାୟିତ୍ୱ ନେଇ ଜନସାଧାରଣ ଏବେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ସିଣ୍ଢୋଲ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ପୁରୋହୀତଙ୍କୁ ପଚରାଯିବାରୁ ଉକ୍ତ ପ୍ରକଳ୍ପ ବିଷୟରେ କିଛି ଜାଣିନଥିବା ସଫେଇ ଦେଇଥିଲେ । ସେପଟେ ଉଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ କରିସ୍ମା ବେସ୍ରାଙ୍କ ମତାମତ ନେବାରୁ ତଦାରଖ କରଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଦୁର୍ନୀତି ଲୁଚାଇବାକୁ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ଆଡିବନ୍ଧ କାମ ଅତି ନିମ୍ନମାନର ଅଭିଯୋଗ
