‘ଇଞ୍ଜିନିଅରରୁ ରାପିଡୋ ଡ୍ରାଇଭର’; ଘର ଋଣ ଶୁଝିବା ପାଇଁ ସାଜିଲେ ରାପିଡୋ ଡ୍ରାଇଭର
ନୂଆଦିଲ୍ଲୀ ;୨୭|୧୧: ଦେଶରେ ଜନସଂଖ୍ୟା ଦିନକୁ ଦିନ ବଢିବା ସହିତ ବେକାରୀ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ସବୁ କ୍ଷେତ୍ରରେ ଚାକିରୀର ଅଭାବ ଦେଖିବାକୁ ମିଳୁଛି | ସେ ସରକାରୀ ହେଉ ଅବା ବେସରକାରୀ ହେଉ ଚାକିରୀ ସମସ୍ୟା ସବୁଠି ରହିଛି | ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଚାକିରି ପାଇବା ଆହୁରି ଚ୍ୟାଲେଞ୍ଜିଂ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି। ଏଥିରେ ଜଣେ ଆଇଟି ଇଞ୍ଜିନିୟରଙ୍କ କାହାଣୀ ଦର୍ଶାଯାଇଛି ଯିଏ ଦୁଇ ମାସ ଋଣରେ କିଣିଥିବା ଘରେ ବେକାର ହୋଇ ବସିବା ପରେ ନିଜ ଖର୍ଚ୍ଚ ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଦିନେ ଏସି ଲାଗିଥିବା ଅଫିସରେ ସୁଟ୍-ବୁଟ୍ ପିନ୍ଧି ବସୁଥିବା କର୍ମଚାରୀ ଆଜି ଡ୍ରାଇଭର ପାଲଟିଛି। ଖରା, ଶୀତ, ବର୍ଷା ସବୁ ସହି ସେ କାମ କରୁଛନ୍ତି। ଏବେ ସେ ଇଞ୍ଜିନିୟରରୁ ପାଲଟିଛି ରାପିଡୋ ଡ୍ରାଇଭର। ଘରର EMI ଏବଂ ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ ସେ ଏହି କାମ କରୁଥିବା ଜଣାଯାଇଛି। ଆଜିକାଲିକା ଯୁଗରେ ଚାକିରି ପାଇବା ଯେ, କେତେ କଷ୍ଟକର ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ସୋସିଆଲ ମିଡିଆରେ ଏକ ଇନଷ୍ଟାଗ୍ରାମ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି | ଯେଉଁଥିରେ ଜଣେ ଆଇଟି ଇଞ୍ଜିନିୟରଙ୍କ ଦୁର୍ଦ୍ଦଶା ଦର୍ଶାଯାଇଛି। ସେ ନୋଏଡାରେ ରୁହନ୍ତି | ଗତ ଦୁଇ ମାସ ହେଲା ତାଙ୍କୁ ଚାକିରି ମିଳୁନାହିଁ। ସେ ପୂର୍ବରୁ ଏକ ଆଇଟି କମ୍ପାନିରେ କାମ କରୁଥିଲେ। ଆଉ ଏକ କମ୍ପାନିରେ ଚାକିରି କରି ସେ ଅଧିକ ଦରମା ପାଇବେ ବୋଲି ଭାବି ଚାକିରି ଛାଡ଼ିଦେଇଥିଲେ। ସହଜରେ ଚାକିରି ମିଳିଯିବ ବୋଲି ସେ ଭାବିଥିଲେ କିନ୍ତୁ ତାହା ହୋଇନଥିଲା। ଅନେକ ଚେଷ୍ଟା ପରେ ବି ୨ମାସ ହେଲା ତାଙ୍କୁ କୌଣସି କମ୍ପାନିରେ ଚାକିରି ମିଳିପାରିନାହିଁ। ଟେକ୍ କମ୍ପାନିଗୁଡ଼ିକରେ ନିଯୁକ୍ତି ହ୍ରାସ ପାଉଥିବାରୁ ତାଙ୍କୁ ଏବେ ଚାକିରି ମିଳିପାରୁ ନାହିଁ। ୧କୋଟି ଟଙ୍କାରେ ଘର କିଣିଥିବାରୁ ଏବେ ସେ ମାସକୁ ମାସ ଋଣ ଦେବା ପାଇଁ ରାପିଡୋ ଚାଳକ ହୋଇଛନ୍ତି। ଯୁବକଙ୍କ ବନ୍ଧୁ ଇନଷ୍ଟାରେ ଏକ ଭିଡିଓ କରି ଏ ବିଷୟରେ ଜଣାଇଥିବା ବେଳେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।
ନୋଏଡା ଭଳି ଏକ ବଡ଼ ସହରରେ ରହିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଗଲାଣି। ଏଠାରେ ଫ୍ଲାଟର ମୂଲ୍ୟ ୧କୋଟିରୁ ୨କୋଟି ମଧ୍ୟରେ ହେବ। ଲୋକେ ମାସକୁ ୩୦-୩୫ହଜାର ଭଡ଼ା ଦେଇ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ଘର କିଣିଛନ୍ତି ସେମାନେ ମାସକୁ ମାସ ମୋଟା ଅଙ୍କର EMI ଦେଉଛନ୍ତି।

