Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବୀଦେବତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟରେ ଫସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ ;୩|୧୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପୁଣି ଥରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ବିରୋଧୀ ଦଳଙ୍କ ପ୍ରଶ୍ନ ଘେରରେ ଘେରିହୋଇଛନ୍ତି | ଏବେ ସେ ଏହାକୁ ନେଇ ଅଡୁଆରେ ପଡ଼ିଛନ୍ତି। ଏଥର ସେ ହିନ୍ଦୁ ଦେବଦେବୀଙ୍କ ସଂଖ୍ୟା ଏବଂ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି | ଯାହାକୁ ନେଇ ସେ ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ରେଡ୍ଡୀ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଅଗଣିତ ଦେବତା ଅଛନ୍ତି। ଅବିବାହିତାମାନଙ୍କ ପାଇଁ ହନୁମାନ ଜୀ ଅଛନ୍ତି | ଆଉ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଆଉ ଜଣେ ଭଗବାନ ଅଛନ୍ତି। ତେବେ ତାଙ୍କର ଏହିଭଳି ମନ୍ତବ୍ୟ ପାଇଁ ସେ ବିବାଦରେ ପଡିବା ସହିତ ରାଜନୈତିକ ଉଷ୍ମତାକୁ ଶୀର୍ଷରେ ପହଞ୍ଚାଇ ଦେଇଛି। ତାଙ୍କର ଏହି ମନ୍ତବ୍ୟ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସ ଉପରେ ସିଧାସଳଖ ଆଘାତ।

ରେଡ୍ଡୀଙ୍କ ଏହିଭଳି ମନ୍ତବ୍ୟର ଭିଡିଓ ଭାଇରାଲ ହେବା ମାତ୍ରେ ବିଜେପି ଏବଂ ବିଆରଏସ ତାଙ୍କୁ କଡ଼ା ସମାଲୋଚନା ଆରମ୍ଭ କରିଛନ୍ତି। ବିଜେପି ନେତା ଚିକ୍କୋଟି ପ୍ରବୀଣ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ହିନ୍ଦୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅପମାନିତ କରିଛି। ସେ ଅଭିଯୋଗରେ କହିଛନ୍ତି ଯେ, କଂଗ୍ରେସ ଏବଂ ରେବନ୍ତ ରେଡ୍ଡୀ ସେମାନଙ୍କର ତୁଷ୍ଟୀକରଣ ରାଜନୀତି ପାଇଁ ହିନ୍ଦୁ ଭାବନାକୁ ଆଘାତ ଦେବାକୁ କୌଣସି ଦ୍ୱିଧା କରୁନାହାନ୍ତି। ସେହିପରି ବିଆରଏସ ନେତା ରାକେଶ ରେଡ୍ଡୀ ଅନୁଗୁଲା ଏହାକୁ ଏକ “ଶସ୍ତା ଲୋକପ୍ରିୟତା” ରଣନୀତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ କ୍ଷମା ମାଗିବାକୁ ସେ କହିଛନ୍ତି।

ରେବନ୍ତ ରେଡ୍ଡୀ ତାଙ୍କ ଭାଷଣରେ ଅଜବ ଯୁକ୍ତି ସହିତ ହିନ୍ଦୁ ବିଶ୍ୱାସକୁ ଉପହାସ କରିଥିଲେ। ସେ ପଚାରିଥିଲେ, ହିନ୍ଦୁମାନଙ୍କର କେତେ ଦେବତା ଅଛନ୍ତି? ତିନି କୋଟି? ଏତେ କାହିଁକି? ସେ କହିଥିଲେ ଯେ, ପ୍ରତ୍ୟେକ ଗୋଷ୍ଠୀର ନିଜସ୍ୱ ଦେବତା ଅଛନ୍ତି। ଯେଉଁମାନେ ଅବିବାହିତ, ସେମାନଙ୍କ ପାଇଁ ହନୁମାନ ଅଛନ୍ତି। ଯେଉଁମାନେ ଦୁଇଥର ବିବାହ କରିଛନ୍ତି, ସେମାନଙ୍କ ପାଇଁ ଏକ ଭିନ୍ନ ଦେବତା ଅଛନ୍ତି। ଯେଉଁମାନେ ମଦ୍ୟପାନ କରନ୍ତି, କୁକୁଡ଼ା ହତ୍ୟା କରନ୍ତି ଏବଂ ଡାଲି ଓ ଭାତ ଖାଆନ୍ତି ସେମାନଙ୍କ ପାଇଁ ମଧ୍ୟ ପୃଥକ ଦେବତା ଅଛନ୍ତି। ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ “ବର୍ଗୀକରଣ”କୁ ହିନ୍ଦୁ ଧର୍ମର ଅପମାନ ବୋଲି କହିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ରେବନ୍ତ ରେଡ୍ଡୀ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ପୂର୍ବରୁ ବିଜେପିକୁ ସମାଲୋଚନା କରି କହିଥିଲେ ଯେ, ଯେଉଁମାନେ ଦେବତାଙ୍କ ଫଟୋ ସହିତ ଭିକ୍ଷା ମାଗନ୍ତି ସେମାନେ ହିନ୍ଦୁ ନୁହଁନ୍ତି ବରଂ ଭିକାରୀ। ସେ କହିଥିଲେ, ଭଗବାନ ମନ୍ଦିରରେ ରହିବା ଉଚିତ୍। ଭକ୍ତି ହୃଦୟରେ ରହିବା ଉଚିତ। ତାଙ୍କର ପୂର୍ବ ବକ୍ତବ୍ୟ ପରି, ଏହି ସଦ୍ୟତମ ମନ୍ତବ୍ୟ ପାଇଁ ସେ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ବିରୋଧୀ କହିଛନ୍ତି ଯେ, ଏପରି ଅଶ୍ଳୀଳ ଭାଷା ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ପାଇଁ ଶୋଭନୀୟ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories