ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା, ଅଭିଯୁକ୍ତ କାକା ଶିବ ଗିରଫ , ଅଞ୍ଚଳରେ ଆତଙ୍କ


ଅତାବିରା /ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ଥାନା ନା ପଞ୍ଚାୟତ ଅନ୍ତର୍ଗତ ଝିକିଝିକି ଗ୍ରାମରେ ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମାସ ପୂର୍ବରୁ ଭେଡେନ ଥାନା ଆଖିଫୁଟାରେ ସେଭଳି ହତ୍ୟା କାଣ୍ଡ ଘଟିଥିବାବେଳେ ତାହା ଲୋକଙ୍କ ମନରୁ ଲିଭିନି । ତେବେ ଆଜି ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳ ବାସି ଆତଙ୍କିତ ହୋଇ ପଡିଛନ୍ତି । ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର ସଦସ୍ୟ ହେଲେ ଗୁରୁଦେବ ବାଗ (୫୫), ଶିବାର୍ଗି ବାଗ (୪୮), ଚୂଡ଼ାମଣି ବାଗ (୧୫) ଓ ଶ୍ରାବଣୀ ବାଗ (୧୦) । ଏନେଇ ଭଟଲି ପୋଲିସ ମଙ୍ଗଳବାର ସକାଳୁ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ କାକା ଶିବ ବାଗ (୫୮)ଙ୍କୁ ଗିରଫ କରିବା ସହିତ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରେ ବରଗଡ଼ ଅତିରିକ୍ତ ଏସ. ପି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏସଡିପିଓ ଅମ୍ରିତ କୁମାର ପଣ୍ଡାଙ୍କ ସମେତ ଭଟଲି ତହସିଲଦାର ଜି. ରଶ୍ମିରେଖା, ସାଇଣ୍ଟିଫିକ୍ ଅଧିକାରୀ ବିଜୟଲକ୍ଷ୍ମୀ ତିର୍କି ଓ ଭଟଲି ଥାନାଧିକାରୀ ରଞ୍ଜିତ ନାୟକଙ୍କ ସମେତ ସନ୍ଧାନି କୁକୁର ଦଳ ପହଞ୍ଚି ତଦନ୍ତ କରୁଛନ୍ତି । ଏନେଇ ଭଟଲି ପୋଲିସ ଥାନା କେସ ନ.୧୧୮/୨୩ କ୍ରମେ ୩୦୨ ଆଇପିସି ରେ ଏକ ମାମଲା ରୁଜୁ କରି ଶବ ମାନଙ୍କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଏବଂ ଅଭିଯୁକ୍ତ ଶିବଙ୍କ ପତ୍ନୀ ଙ୍କ କହିବା ମୁତାବକ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ଉଭୟ କାକା ପୁତୁରାଙ୍କ ମଧ୍ୟରେ ଜମି ଭାଗ ବଣ୍ଟା କୁ ନେଇ ବଚସା ହୋଇଥିଲା । ଏଥିପାଇଁ ଗାଁର ଭଦ୍ର ବ୍ୟକ୍ତି ମାନେ ମଧ୍ୟ ବୁଝାସୁଝା କରିଥିଲେ । ପରେ ପାଟିତୁଣ୍ଡ ହେବା ପରେ ଗାଁର ଭଦ୍ରବ୍ୟକ୍ତି ସେମାନଙ୍କୁ ପୋଲିସର ଦ୍ବାରସ୍ଥ ହେବାପାଇଁ କହି ଚାଲି ଆସିଥିଲେ । ପରେ ପୁଣିଥରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାଟିତୁଣ୍ଡ ମାର୍ ପିଟର ରୂପ ନେଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ କାକା ଶିବ ପୁତୁରା ଗୁରୁଦେବଙ୍କ ଏକ ଲୁହା ଶାବଳ ରେ ମୁଣ୍ଡକୁ ଆଘାତ କରିଥିଲେ । ପରେ ତାଙ୍କ ପରିବାର ସଦସ୍ୟ ବିରୋଧ କରିବା ପରେ ସେମାନଙ୍କୁ ମଧ୍ୟ ଜଣ ଜଣ କରି ସେହି ଶାବଳରେ ମାଡ଼ ମାରି ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ଶବ ଗୁଡ଼ିକୁ ଗୁହାଳ ନିକଟରେ ଥିବା ଏକ କୋଠରୀରେ ରଖି କବାଟ ବନ୍ଦ କରିଦେଇଥିଲେ । ଏହି ଉଭୟ ପରିବାର ମଧ୍ୟରେ ବହୁ ବର୍ଷ ଧରି ଏହି ଜମି ଗଣ୍ଡଗୋଳ ଲାଗିରହିଥିବା ଜଣାପଡିଛି ।