ବିଳମ୍ବିତ ରାତିରେ ଗୋଆ ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ; ସିଲିଣ୍ଡର ବିସ୍ଫୋରଣରେ ୨୫ ଜଣଙ୍କ ମୃତ୍ୟୁ
ଗୋଆ ;୭|୧୨: ଶନିବାର ବିଳମ୍ବିତ ରାତିରେ ଉତ୍ତର ଗୋଆର ଆରପୋରା ଗାଁରେ ଏକ ନାଇଟ୍ କ୍ଲବ୍ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ | ଏହି ଅଗ୍ନିକାଣ୍ଡରେ ୨୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାର ପିଟିଆଇକୁ କହିଛନ୍ତି ଯେ , ଏହି ଅଗ୍ନିକାଣ୍ଡ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା। ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, “ଅତି କମରେ ୨୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ କ୍ଲବ୍ କର୍ମଚାରୀ ମଧ୍ୟ ଅଛନ୍ତି।”
ଗୋଆ ପୋଲିସ ମହାନିର୍ଦ୍ଦେଶକ ଆଲୋକ କୁମାର କହିଛନ୍ତି ଯେ କିଛି ଲୋକ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି, ଅନ୍ୟପକ୍ଷରେ ସେଠାରେ ଉପସ୍ଥିତ ଥିବା ବାକି ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ପୋଲିସ ଏହା ମଧ୍ୟ କହିଛି ଯେ ସେହି ସମୟରେ କ୍ଲବ୍ରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ, ଯାହା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଥିଲା। ଦୁର୍ଘଟଣାରେ ୨୦ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ମହିଳା ଥିବା ଜଣାପଡ଼ିଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଏହାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ସୁରକ୍ଷାକୁ ନେଇ ଶୀଘ୍ର ତଦନ୍ତ କରାଯିବ ଯଦି ଏଥିରେ କିଛି ଅବହେଳା ହୋଇଥିବାର ନଜର ଆସିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ମୃତକଙ୍କ ମଧ୍ୟରୁ ତିନିରୁ ଚାରି ଜଣ ପର୍ଯ୍ୟଟକ ଥିଲେ ଯେଉଁମାନେ ଛୁଟି ପାଇଁ ଗୋଆ ଆସିଥିଲେ।
ଅଗ୍ନିଶମ ଏବଂ ପୋଲିସ ଦଳ ରାତିସାରା ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଧୂଆଁ ଏତେ ପରିମାଣରେ ବଢିଯାଇଥିଲା ଯେ ଏହାକୁ ରୋକିବା ପାଇଁ ବାଧା ସୃଷ୍ଟି କରିଥିଲା | କିନ୍ତୁ ଏହାମଧ୍ୟରେ ବହୁ ଲୋକଙ୍କୁ ସମୟ ମଧ୍ୟରେ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ବିଧାୟକ ମାଇକେଲ ଲୋବୋ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ରାତି ଲାଗିଥିଲା | ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ସମସ୍ତ ନାଇଟ୍ କ୍ଲବରେ ଏକ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ଅଡିଟ୍ କରାଯିବ।

