Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାହେଶ୍ୱରୀ ସଂଗଠନର ବାର୍ଷିକୋତ୍ସବ

ଅଗ୍ରଣୀ ସ୍ବେଚ୍ଛସେବୀ ଅନୁଷ୍ଠାନ ମାହେଶ୍ଵରୀ ସଂଗଠନ ତରଭା ଶାଖାର ଦ୍ଵିତୀୟ ବାର୍ଷିକୋତ୍ସବ ସୋମବାର ସନ୍ଧ୍ୟାରେ ସ୍ଥାନୀୟ କୃଷ୍ଣାର୍ଜୁନ କଳା ସଂସ୍କୃତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ସରୋଜ୍ କୁମାର୍ କମ୍ପ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ବନ୍ଦିତା ନାୟକ, ତରଭା ଶାଖାର ମୁଖ୍ୟ ଉପଦେଷ୍ଟା ଦଶରଥ ସାହୁ, ଏନ୍ଏସି ଉପାଧ୍ୟକ୍ଷ ଗଗନ୍ ଅଗ୍ରୱାଲ ଯୋଗ ଦେଇଥିଲେ। ସଭା ପୂର୍ବରୁ ପ୍ରଭୁ ଜଗନ୍ନାଥ ଓ ମା ମାହେଶ୍ଵରୀଙ୍କ ତୈଳ ଚିତ୍ରରେ ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ତରଭା ମାହେଶ୍ଵରୀ ସଂଗଠନର ବିଭିନ୍ନ ସମାଜ୍ ସେବା, ରକ୍ତଦାନ, ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା କରିବା, ଅସହାୟଙ୍କୁ ସହଯୋଗ କରିବା ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ଅତିଥିମାନେ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ମାହେଶ୍ଵରୀ ସଂଗଠନର ଜନହିତକର ଓ ସମାଜ ସେବାରେ ନିୟୋଜିତ ଥିବା ସଦସ୍ୟ ଓ ସଦସ୍ୟା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଇତ୍ୟବସରରେ ୨୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକଲ,୧୦ ଜଣଙ୍କୁ ଆଶାବାଡ଼ି ଓ ୫ଜଣଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା। ଏଥି ସହ ଗତ ସିବିଏସ୍ଇ ପରୀକ୍ଷାରେ ଓଡ଼ିଶାରେ ଟପ୍ ୧୦ ମଧ୍ୟରେ ରହିଥିବା ଛାତ୍ର ପ୍ରଦ୍ୟୁମ୍ନ ଦାସ୍ ଏବଂ ଜିଲ୍ଲାରେ ମ୍ୟାଟ୍ରିକ ଟପ୍ପର ହୋଇଥିବା ଅନୁରାଗ ପାଣିଗ୍ରାହୀ, ବିଶିଷ୍ଟ ଆଲବମ୍ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ, ଶିଶୁ ନୃତ୍ୟଶିଳ୍ପୀ ଶ୍ରେୟଂଶୀ ମିଶ୍ର (ରୋୟାଲ) ଓ ଇରାରାନି ଗୁରୁ, ମହିଳା ସଂଗଠିକା ଭାବେ କଳ୍ପଲତା ମେହେର ଏବଂ ଉଲ୍ଲେଖନୀୟ ସମାଜସେବା ପାଇଁ ଅନ୍ୟାନ୍ୟ ୮ ଜଣଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପଢୋକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଗଠନର ତରଭା ସଭାପତି ପ୍ରଦୀପ ମେହେର ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା କରିଥିଲେ ମାନଭଞ୍ଜନ ମିଶ୍ର । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀର ଦୁଲ୍ ଦୁଲି କଳପରିଷଦର ସମ୍ବଲପୁରୀ ଲୋକନୃତ୍ୟ, ବିଶିଷ୍ଟ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀଙ୍କ ମନଛୁଆଁ ସଙ୍ଗୀତ ପରିବେଷଣରେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମୋହିତ ହୋଇଥିଲେ। ଆକାଶ ସାହୁ, ମୁନ୍ନା ସାହୁଙ୍କ ସମେତ ମାହେଶ୍ଵରୀ ସଂଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ