ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଥିଓପିଆ ଗସ୍ତ; ସ୍ୱାଗତ କଲେ ଆବି ଅହମ୍ମଦ ଅଲି, ନିଜେ କାର୍ ଚଲାଇ ମୋଦୀଙ୍କୁ ହୋଟେଲ ନେଲେ
ନୂଆଦିଲ୍ଲୀ,୧୭|୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଆଜି ଇଥିଓପିଆରେ ପହଞ୍ଚିଛନ୍ତି। ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୋଟେଲ ଯାଏ ନିଜେ କାର୍ ଚଲାଇ ନେଇଥିଲେ । ହୋଟେଲ ଯିବା ସମୟରେ ସେମାନେ ସାଇନ୍ସ ମ୍ୟୁଜିୟମ୍ ଓ ଫ୍ରେଣ୍ଡସିପ୍ ପାର୍କ ନିକଟରେ କିଛି ସମୟ ପାଇଁ ଅଟକିଥିଲେ | ତେବେ ଏହା ପୂର୍ବରୁ ଜୋର୍ଡାନ ଯୁବରାଜ ମଧ୍ୟ ମୋଦୀଙ୍କୁ ତାଙ୍କ କାର୍ରେ ବସାଇ ସଂଗ୍ରହାଳୟ ବୁଲାଇ ନେଇଥିଲେ। ସୋମବାର ମୋଦୀ ତାଙ୍କ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ଚରଣରେ ଜୋର୍ଡାନ ଯାଇଥିଲେ। ଜୋର୍ଡାନ ଗସ୍ତ କାଳରେ ମୋଦୀ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଥିଲେ। ଆଉ ଆଜି ଦ୍ଵିତୀୟ ଦିନରେ ଇଥିଓପିଆରେ ପହଞ୍ଚିଛନ୍ତି |
ସୂଚନା ଅନୁସାରେ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଥିଓପିଆ ଗସ୍ତ ଅଟେ। ଏବଂ ଇଥିଓପିଆରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ମିଳିତ ଅଧିବେଶନକୁ ପ୍ରଥମଥର ପାଇଁ ସମ୍ୱୋଧିତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଇଥିଓପିଆ ଗସ୍ତ ଭାରତ ଓ ଇଥିଓପିଆ ମଧ୍ୟରେ ଗଭୀର ବନ୍ଧୁତା ଓ ଦ୍ୱିପାକ୍ଷିକ ସହଯୋଗକୁ ବଢାଇବା ଦିଗରେ ମିଳିତ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିବ ବୋଲି କୁହାଯାଉଛି | ଆଜି ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ “ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ କ୍ଷମତା ନିର୍ମାଣ ଉପରେ ଆଲୋଚନା କରିଛନ୍ତି ।” ସୂଚନା ମୁତାବକ ଦୁଇ ଦେଶ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ସୁରକ୍ଷା, ବ୍ୟବସାୟ ଏବଂ ନିବେଶ ସମେତ ଆଠଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କ ମଧ୍ୟରେ ଆଲୋଚନା ଭାରତ ଏବଂ ଇଥିଓପିଆ ମଧ୍ୟରେ ରଣନୈତିକ ସହଭାଗୀତାକୁ ମଜବୁତ କରିଛି ବୋଲି ମୋଦୀ କହିଛନ୍ତି । ଦୁଇ ନେତା କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଛାତ୍ରବୃତ୍ତିକୁ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ, ଯାହା ଅଧିକ ଇଥିଓପିଆ ଛାତ୍ରଙ୍କୁ ଭାରତରେ ପଢ଼ିବାର ସୁଯୋଗ ଦେବ |
ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ସାଥି ଦେଶଗୁଡ଼ିକର ସମର୍ଥନ ଭାରତକୁ ଆତଙ୍କବାଦ ବିରୋଧରେ ଆବାଜ ଉଠାଇବାକୁ ସଶକ୍ତ କରିଥାଏ। ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି। ଅଲି କହିଛନ୍ତି ଯେ, ଆତ୍ମନିର୍ଭରଶୀଳତା ଏବଂ ପାରସ୍ପରିକ ସହଯୋଗ ଉପରେ ଆଧାରିତ ଏକ ଆଧୁନିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ସହଭାଗୀତା ଜରୁରୀ ଅଟେ।
ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, ବିଶ୍ୱର ସର୍ବପୁରାତନ ଏବଂ ସମୃଦ୍ଧ ସଭ୍ୟତା ଦ୍ୱାରା ସମ୍ମାନିତ ହେବା ତାଙ୍କ ପାଇଁ ଏକ ବଡ଼ ଗର୍ବର ବିଷୟ।

