ଭୋଜପୁର ଏସଏସଡି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ମହୋତ୍ସବରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅନିଭା ନାଏକ ଯୋଗଦେଇ ଛାତ୍ରିଛାତ୍ର ମାନଙ୍କୁ ଲକ୍ଷ୍ୟ ସ୍ଥିର କଲେ ଜୀବନରେ ସଫଳତା ମିଳିବ ବୋଲି ତାଙ୍କ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଦେବଗଡ଼ ମଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ବିଜୟ କୁମାର ମହାରଣା ଯୋଗଦେଇ ମୋବାଇଲ ର ଉପକାରିତା ଓ ଅପକାରିତା ବିଷୟରେ ଛାତ୍ରୀ ଛାତ୍ର ମାନଙ୍କୁ ବୁଝାଇଥିଲେ। ସେ ପିତା ମାତାଙ୍କୁ ମଧ୍ୟ କହିଥିଲେ କି ପିଲାମାନଙ୍କୁ ତାଙ୍କ ପ୍ରତିଭାକୁ ଅନୁଧ୍ୟାନ କରି ସେହି ଅନୁସାରେ ଅଧ୍ୟୟନ କରେଇଲେ ସେମାନଙ୍କ ବିକାଶ ଉତ୍ତମ ହୋଇ ପାରିବ ବୋଲି କହିଥିଲେ। ମଞ୍ଚକୁ ସହକାରୀ ଶିକ୍ଷକ ଚକ୍ରଧର ମାଝୀ ପରିଚାଳନା କରିଥିବା ବେଳେ ପରିଚୟ ପ୍ରଦାନ ସହକାରୀ ଶିକ୍ଷକ ରୋହିତ କୁମାର ନାଥ କରିଥିଲେ। ବାର୍ଷିକ ବିବରଣୀ ପଠନ ପ୍ରଧାନ ଶିକ୍ଷକ ଶ୍ରୀ ରଣା କରିଥିଲେ। ସମ୍ମାନିତ ଅତିଥି ଭାବେ ଭୋଜପୁର କଲେଜ ପୂର୍ବତନ ଅଧକ୍ଷ ପ୍ରତାପ ମାହକୁଲ, ମୋ ସ୍କୁଲ ଅଭିଯାନ ସଭାପତି ମଳୟ କୁମାର ବେହେରା, ପରିଚାଳନା କମିଟି ସଭାନେତ୍ରୀ ବାସନ୍ତୀ ବେହେରା ମଞ୍ଚାସିନ ଥିଲେ। ଅତିଥିମାନଙ୍କ ଦ୍ଵାରା ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

