ଭଗବାନ ରାମ ଜଣେ ମୁସଲିମ; ବିଧାୟକଙ୍କ ବୟାନ ପରେ ସରଗରମ ରାଜନୀତି…
କୋଲକାତା: ବଙ୍ଗଳାରେ ଶାସକ ଟିଏମସିର ବରିଷ୍ଠ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ପ୍ରଭୁ ରାମଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।ତାଙ୍କ ଭାଷଣର ଏକ କ୍ଲିପ୍ ଅନଲାଇନ୍ ମିଡିଆରେ ପ୍ରସାରିତ ହୋଇଛି।
ଯେଉଁଥିରେ ଟିଏମସି ବିଧାୟକ ଦାବି କରିଛନ୍ତି ଯେ ପ୍ରଭୁ ରାମ ଜଣେ ମୁସଲମାନ ଥିଲେ। ଏହି ବୟାନରେ ବିଜେପି ବର୍ଷିଛି। ବଙ୍ଗଳା ବିଜେପି ଗୁରୁବାର ଦିନ ଉତ୍ତର ୨୪ ପରଗନା ଜିଲ୍ଲାର କମାରହାଟିର ବିଧାୟକ ମଦନ ମିତ୍ରଙ୍କ ଭାଷଣର ଏକ ଭିଡିଓ ଏହାର X ହ୍ୟାଣ୍ଡଲରେ ସେୟାର କରିଛି। ଯାହାକୁ ହିନ୍ଦୁ ଭାବନାର ଅପମାନ ବୋଲି କହିଛି। ସେୟାର କରାଯାଇଥିବା ଭିଡିଓରେ ମିତ୍ରଙ୍କୁ ଏକ ସାଧାରଣ ସଭାରେ ଭଗବାନ ରାମଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳୁଛି।
ରାଜ୍ୟ ବିଜେପି X ରେ ଭିଡିଓଟି ସେୟାର କରି ଲେଖିଛନ୍ତି, “ଏହା ଆମର ସଂସ୍କୃତି ଏବଂ ଇତିହାସର ନିରନ୍ତର ଅପମାନ। ଏହାକୁ ନେଇ ମିତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଟିଏମସିକୁ ମଧ୍ୟ ଚ୍ୟାଲେଞ୍ଜ କରିଛି। ଏହି ସମୟରେ ଶାସକ ଟିଏମସି ତାଙ୍କ ବିଧାୟକଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି। ଅପରପକ୍ଷରେ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ଆମେ ସମସ୍ତେ ରାମାୟଣ ଏବଂ ଅଯୋଧ୍ୟା ବିଷୟରେ ଜାଣୁ, ଏବଂ ମଦନ ମିତ୍ର କ’ଣ କହୁଛନ୍ତି ତାହା ଉପରେ ଆମେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ।” ତେବେ ବିଧାୟକ ମିତ୍ର ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

