Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶରେ ବଢୁଛି ହିଂସା; BNP ନେତାଙ୍କ ଘର ଜାଳିଦେଲେ, କୁନି ଝିଅ ଜୀବନ୍ତ ଦଗ୍ଧ…

ଢାକା: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ବେଲାଲ ହୋସେନଙ୍କ ଘର ଉପରେ ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିବା ପରେ ଜଣେ ୭ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।

ଡେଲି ଷ୍ଟାର ଏବଂ ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଶନିବାର ଲକ୍ଷ୍ମୀପୁରରେ ଥିବା BNP ନେତାଙ୍କ ଘର ପୋଡ଼ି ଦିଆଯାଇଥିଲା। ପରିବାର ଲୋକ ଘରେ ଥିବା ସତ୍ତ୍ୱେ ଘର ବାହାରେ ଥିବା ପ୍ରତିବାଦକାରୀମାନେ ଘର ପୋଡ଼ି ଦେଇଥିଲେ। ଅଗ୍ନିକାଣ୍ଡରେ ବେଲାଲଙ୍କ ୭ ବର୍ଷର ଝିଅ ଆୟେଶା ଅଖତରଙ୍କ ମୃତ୍ୟୁ ଘଟିଛି।

ଲକ୍ଷ୍ମୀପୁର ସଦର ମଡେଲ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ୱାହିଦ ପରଭେଜ ଘଟଣାର ସତ୍ୟାସତ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ଜଣେ ଝିଅ ମୃତ ଅବସ୍ଥାରେ ମିଳିଛି ଏବଂ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ, ବେଲାଲ ହୋସେନ ଏବଂ ତାଙ୍କର ଅନ୍ୟ ଦୁଇ ଝିଅ, ୧୬ ବର୍ଷୀୟ ସଲମା ଅଖତର ଏବଂ ୧୪ ବର୍ଷୀୟ ସାମିଆ ଅଖତର ଘରେ ଅଗ୍ନିକାଣ୍ଡରେ ଗୁରୁତର ପୋଡ଼ିଯାଇଛନ୍ତି। ପରେ ଝିଅମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲର ବର୍ନ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ସେମାନଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ଦେଇଛନ୍ତି। ଡେଲି ଷ୍ଟାର ସହିତ କଥାବାର୍ତ୍ତାରେ ବେଲାଲଙ୍କ ମାଆ ଆକ୍ରମଣକୁ ସ୍ପଷ୍ଟ କରିଛନ୍ତି। ସେ ଦାବି କରିଥିଲେ ଯେ ଦଙ୍ଗାକାରୀମାନେ ଘରର ଦ୍ୱାର ବାହାରୁ ବନ୍ଦ କରିଦେବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରକୁ ଭାଙ୍ଗି ଦେଇଥିବା ୨୦୨୪ ଛାତ୍ର-ନେତୃତ୍ୱାଧୀନର ଜଣେ ପ୍ରମୁଖ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା ଆରମ୍ଭ ହୋଇଥିଲା। ଡିସେମ୍ବର ୧୨, ୨୦୨୫ରେ ଏକ ମସଜିଦରୁ ବାହାରିବା ସମୟରେ ତାଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରିଥିଲେ। ପରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ୧୮ ଡିସେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଦିଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ତାଙ୍କ ସମର୍ଥକମାନେ ନ୍ୟାୟ ଦାବି କରି ଢାକା ସମେତ ଅନେକ ସହରରେ ପ୍ରତିବାଦ ଆରମ୍ଭ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ