ଭାରତରୁ ଚାଉଳ ଆମଦାନୀ କରିବ ବାଂଲାଦେଶ
ନୂଆଦିଲ୍ଲୀ,୨୪।୧୨: ଦୀର୍ଘଦିନ ଧରି ବାଂଲାଦେଶରେ ପ୍ରବଳ ଉତ୍ତେଜନା ଲାଗି ରହିଛି | ଗତ କିଛିଦିନ ହେଲା ଭାରତ ଏବଂ ବାଂଲାଦେଶର ସମ୍ପର୍କ ଉପରେ ତାହାର ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି | ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ମଧ୍ୟରେ ୟୁନୁସ୍ ସରକାର ଭାରତକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ଏହି କାରଣରୁ ବାଂଲାଦେଶ ଗତ ସୋମବାର ଦିନ ଦିଲ୍ଲୀରେ ଥିବା ଏହାର ଉଚ୍ଚାୟୋଗରେ କନସୁଲାର ଏବଂ ଭିସା ସେବାକୁ ମଧ୍ୟ ବନ୍ଦ ରଖିଥିଲା |
ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ଆଜି ସୂଚନା ଦେଇ କହିଛନ୍ତି ଯେ, ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ ସହିତ ହୋଇଥିବା ତିକ୍ତତା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି | ଏବଂ ତାଙ୍କ ସରକାର ‘ରାଜନୈତିକ ଶତ୍ରୁତା’ ଠାରୁ ଆର୍ଥିକ ସ୍ବାର୍ଥକୁ ଅଲଗା ରଖି ଭାରତ ସହିତ ବାଣିଜ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ କାର୍ଯ୍ୟ କରୁଛି। ତାଙ୍କ କାର୍ଯ୍ୟାଳୟରେ ସରକାରଙ୍କ ବାଣିଜ୍ୟ ପରାମର୍ଶଦାତା ପରିଷଦ କମିଟିର ବୈଠକ ପରେ ଅହମ୍ମଦ ସାମ୍ବାଦିକ ପ୍ରେସ ମିଟରେ କହିଥିଲେ, ‘ମୁଖ୍ୟ ପରାମର୍ଶଦାତା ଭାରତ ସହିତ କୂଟନୈତିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେ ନିଜେ ଏହି ବିଷୟରେ ମଧ୍ୟ ଆଲୋଚନା ଜାରି ରଖିଛନ୍ତି | ତେବେ ସାମ୍ବାଦିକ ମାନେ ୟୁନୁସଙ୍କୁ ସିଧାସଳଖ ଭାରତ ସହିତ ଏ ବିଷୟରେ କଥା ହୋଇଛନ୍ତି କି? ପଚାରିବା ପରେ ,ଅହମ୍ମଦ କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ‘ନା’ କହିଛନ୍ତି, କିନ୍ତୁ ସେ ଏହି ମାମଲାରେ ଜଡିତ ଲୋକଙ୍କ ସହ କଥା ହୋଇଛନ୍ତି।
ଅହମ୍ମଦ ଆହୁରି କହିଛନ୍ତି, ‘ଆମର ବାଣିଜ୍ୟ ନୀତି ରାଜନୈତିକ ବିଚାର ଧାରାରେ ଚାଲେ ନାହିଁ ‘। ଆମେ ଆମ ଦେଶ ପାଇଁ କେଉଁ ନିଷ୍ପତ୍ତି ଲାଭ ହେବ ତାହାକୁ ବେଶୀ ଗୁରୁତ୍ୱ ଦେଇଥାଉ | ଯଦି ଭିଏତନାମ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଆମଦାନି କରିବା ଅପେକ୍ଷା ଭାରତରୁ ଚାଉଳ ଆମଦାନି କରିବା ଆମକୁ ଶସ୍ତା ପଡେ ତାହାଲେ ଆମେ ଭାରତରୁ ଆମଦାନୀ କରିବା ନିଷ୍ପତ୍ତିକୁ ଗ୍ରହଣ କରିବୁ | ତେବେ ସିଧାସଳଖ ନହଲେ ବି ଭାରତ ସହିତ ବାଂଲାଦେଶର ସମ୍ପର୍କ ଆଉ ଖରାପ ହେବ ନାହିଁ ବୋଲି ଅହମ୍ମଦ ଗଣାମଧ୍ୟମକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଂଲାଦେଶ ମଙ୍ଗଳବାର ଭାରତରୁ ୫୦,୦୦୦ ଟନ ଚାଉଳ କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି, ‘ଉତ୍ତମ ସମ୍ପର୍କ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି | ଭାରତରୁ ଏହି ଚାଉଳ ଆମଦାନି ବାଂଲାଦେଶ ପାଇଁ ଲାଭଦାୟକ ହେବ, କାରଣ ଭିଏତନାମରୁ ଚାଉଳ ଆମଦାନୀ କରିବା ଭାରତ ଅପେକ୍ଷା ମହଙ୍ଗା ପଡିବ | ଆମଦାନି କରିବା ପାଇଁ କିଲୋଗ୍ରାମ ପିଛା ୧୦ ବାଂଲାଦେଶୀ ଟଙ୍କା (US$0.082) ଅଧିକ ଗଣିବାକୁ ପଡିବ | ତେବେ ଭାରତ ଏବଂ ବାଂଲାଦେଶ ଉଭୟ ଦେଶରେ ଉତ୍ତେଜନା ପୂର୍ଣ୍ଣ ଘଟଣା ପ୍ରକାଶ ପାଇବା ପରେ ମଧ୍ୟ, ପରାମର୍ଶଦାତା କହିଛନ୍ତି, ‘ପରିସ୍ଥିତି ଏବେ ବି ଆମ ଆୟତ୍ତରେ ଅଛି ଏତେ ବି ଖରାପ ସ୍ଥିତିରେ ପହଞ୍ଚି ନାହିଁ।’

