୨୯ ବର୍ଷରେ ପାଦ ଥାପିଲା ବିଜେଡି, ନେତା ଓ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ…
ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆଜି ୨୯ ବର୍ଷରେ ପାଦ ଥାପିଛି। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ନିରଙ୍କୁଶ ଶାସନ କରିବା ପରେ ୨୦୨୪ ସାଧାରଣ ନିର୍ବାଚନରେ ଦଳ କ୍ଷମତାଚ୍ୟୁତ ହୋଇଛି। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ୧୯୯୭ ଡିସେମ୍ବର ୨୬ରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜେଡି ରାଜ୍ୟ ରାଜନୀତିରେ ଉଭା ହୋଇଥିଲା।
ତେବେ ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ସେବାର ଗୁରୁମନ୍ତ୍ର ଦେବେ ଦଳୀୟ ସୁପ୍ରିମୋ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ୫୧ ବିଧାୟକ ଜିତି ଥିଲେ। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ୧୪ ଜଣିଆ କଂଗ୍ରେସ ବିଧାୟକ ଦଳଠାରୁ ପଛରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି। କ୍ଷମତାରୁ ଯିବା ପରେ ନୂଆପଡ଼ା ଉପ ନିର୍ବାଚନରେ ବିଜେଡି ତିନି ନମ୍ବର ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି।
ଗତ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ରାଜନୀତିରୁ ସନ୍ୟାସ ନେଇଥିବା ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଭୂମିକାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମୁ ନାହିଁ। ଏହାରି ମଧ୍ୟରେ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ରାଜନୀତିରେ ଏଣ୍ଟ୍ରି ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।

