ଓଡିଶାରେ ନୂଆ ଦଳ ଗଠନ ହେବ! କଂଗ୍ରେସ ବିଧାୟିକା ସୋଫିଆ ଫିରୋଦୋଷଙ୍କ ହୋଡିଂରୁ ଦଳୀୟ ଚିହ୍ନ ଆଉଟ
କଟକ, ୩୧।୧୨: ବଦଳିବ ରାଜନୀତିର ପାଣିପାଗ। ଓଡ଼ିଶାରେ ଗଠନ ହେବ ନୂଆ ଦଳ! ଧୀରେ ଧୀରେ ଏହା ସ୍ପଷ୍ଟ ହେବାରେ ଲାଗିଛି। ନୂଆବର୍ଷରେ ରାଜନୀତିରେ ବି କିଛି ନୂଆ ପରିବର୍ତ୍ତନ ହେବାର ସ୍ପଷ୍ଟତା ଦେଖାଯାଉଛି। ବିଶେଷ କରି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ମ ଦଳରୁ ନିଲମ୍ବନ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। କୁହାଯାଉଥିଲା ମୋକିମ୍ମ ଅନେକ ବରିଷ୍ଠ ନେତାଙ୍କୁ ନେଇ ନୂତନ ଦଳ ସୃଷ୍ଟି କରିପାରନ୍ତି। ତେବେ ଏ ଦ୍ୱନ୍ଦ୍ୱ ଧୀରେ ଧୀରେ ସ୍ପଷ୍ଟ ହେଉଛି।
ନୂଆବର୍ଷ ସ୍ୱାଗତ ଅବସରରେ ରାଜ ନେତା ମାନଙ୍କର ବିଭନ୍ନ ଗଳି କନ୍ଦିରେ ହୋଡିଂ ମରା ଯାଇଥାଏ। ତେବେ କଂଗ୍ରେସର ନବ ବିଧାୟିକା ସୋଫିଆ ଫିରଦୋଷଙ୍କ ହୋଡିଂକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଦାମବାଡ଼ି ବସଷ୍ଟାଣ୍ଡରେ ନିକଟରେ ଏହି ହୋଡିଂ ଟି ଲାଗିଛି। ଯେଉଁଥିରେ ଗୋଟିଏ ପଟେ ପୂର୍ବତନ ବରିଷ୍ଠ ବିଧାୟକ ମହମ୍ମଦ ମୋକିମ୍ମଙ୍କ ଫୋଟୋ ଲାଗିଥିବା ବେଳେ ଅନ୍ୟପଟେ ନବ ବିଧାୟିକା ସୋଫିଆ ଫିରଦୋଷ ରହିଛନ୍ତି । କିନ୍ତୁ ହୋଡିଂରେ ଦଳୀୟ ଚିହ୍ନ ନାହିଁ କି ଦଳର ମୁଖ୍ୟ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କର ଫୋଟୋ ନାହିଁ। ଏଥିରୁ ଅନୁମାନ ହେଉଛି କି ମହମ୍ମଦ ମୋକିମ୍ମଙ୍କ ନିଲମ୍ବନକୁ ନେଇ ବିଧାୟିକା ସୋଫିଆ କଂଗ୍ରେସ ଉପରେ ଏବେବି ଅସନ୍ତୁଷ୍ଟ ରହିଛନ୍ତି। ତେବେ ଆଗାମୀ ସମୟରେ ସୋଫିଆ କଂଗ୍ରେସକୁ ଛାଡି ବାପାଙ୍କ ରାଜନୀତି ପଥକୁ ଅନୁସରଣ କରି ପାରନ୍ତି ବୋଲି ସ୍ପଷ୍ଟ ଅନୁମାନ ହେଉଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ମୋକିମଙ୍କ ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ, ମୋକିମ୍ମ ଦଳର ଖୋଲା ଅସ୍ତ୍ରୋପଚାର ଏବଂ ଆଦର୍ଶଗତ ନବୀକରଣ ପାଇଁ ଦାବି କରିଥିଲେ, ଦଳର ଐତିହ୍ୟ ଖସିଯିବା ନେଇ ଚେତାବନୀ ଦେଇଥିଲେ। ଏହା ସହିତ ,ମୋକିମ୍ମ ଚିଠିରେ ଓଡ଼ିଶାରେ ଲଗାତାର ଛଅଟି ପରାଜୟ ଏବଂ ଅନ୍ୟ ରାଜ୍ୟରେ ସମ୍ପ୍ରତି ନିର୍ବାଚନ ପରାଜୟ ପାଇଁ ଦୁଃଖ ପ୍ରକାଶ କରି ଦଳୀୟ କର୍ମୀମାନେ ଅନୁଭବ କରିଥିବା “ବ୍ୟାପକ ଭାବପ୍ରବଣ ବିଚ୍ଛିନ୍ନତା”କୁ ଉଲ୍ଲେଖ କରିଥିଲେ। ଚିଠି ଲେଖିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

