ଗୋ ହତ୍ୟା ଓ ଗୋରୁ ଚାଲାଣ ଅଭିଯୋଗରେ ୫ ଜଣ କୋର୍ଟ ଚାଲାଣ, ୨ଜଣ ଫେରାର
ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଳ ନିକଟସ୍ଥ ଗୋଟିଏ ସ୍ଥାନରେ ଗୋହତ୍ୟା ଏବଂ ଅନ୍ୟ ଏକ ସ୍ଥାନରେ ଗୋ ଚାଲାଣ ହେଉଥିବା ଅଭିଯୋଗରେ ଆଜି ଜମନକିରା ପୋଲିସ ୫ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ଏନେଇ ଜମନକିରା ଥାନାରେ ଯଥାକ୍ରମେ ୨ ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଦେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଗୋହତ୍ୟା ଅଭିଯୋଗରେ ବିରିଗୁଡ଼ା ଗାଁର ଅଜୟ ଟପୋ (୩୩), ଅସୁରଖୋଲ ଗାଁର ଫୁଲକୁମାର ଯୋଜୋ (୩୨) ଏବଂ ବାରିହୁଡ଼ା ଗାଁର ସିଲ୍ଭରଷ୍ଟାର ସୋରେନ (୩୫) ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତି ଥିବା ଚମ୍ପୁ ମାଝୀ ( ୩୨) ଫେରାର ହେଇ ଯାଇଛି। ସେହିପରି ଗୋ ଚାଲାଣ ଅଭିଯୋଗରେ ଦେବଗଡ଼ ଜିଲ୍ଲା ଗୋରୁଡୁଖମନ୍ ଗାଁର ପରମା ଉଦାବର (୫୩), ଏବଂ ଦେବଗଡ଼ ଜିଲ୍ଲା ରେଙ୍ଗାଲବେଡା ଗାଁର ହରିହର ସାହୁ (୫୪) କୁ ଗିରଫ କରିଥିବା ବେଳେ ସଞ୍ଜୟ କୁଲୁ ଫେରାର ଅଛି। ଏନେଇ ପୃଥକ କେସ ନ.୨/୨୬ ( ୩୨୫/୩(୫) ବିଏନଏସ/ ଆର୍ ଦବ୍ଲୁ ସେକ୍ସନ ୧୧ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୋ ଚାଲାଣ ନେଇ ଜମନକିରା ଥାନା କେସ ନ.୩/୨୬ ( ୨୯୬/୩୫୧/(୨)/୩(୫) ବି ଏନ ଏସ/ ଆର ଡବ୍ଲୁ/ସେକ୍ସନ ୧୧(ଡି)ରେ ୨ ଟି ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ପୋଲିସର ସୂଚନା ଅନୁଯାଇ, ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୌଡପାଳି ଫାଣ୍ଡି ଅନ୍ତର୍ଗତ ବନମାଳ ଗାଁର ନନ୍ଦ କିଶୋର ମିର୍ଦ୍ଧା (୩୦ ) ନିଜ ଗାଁକୁ ଫେରୁଥିବା ବେଳେ ବିରୀଗୁଡ଼ା ଗାଁ ପାଖ ଜଙ୍ଗଲରେ କିଛି ଶବ୍ଦ ଶୁଣି ଲୁଚି କି ଦେଖିବା ବେଳେ ୩ ଜଣ ଗୋ ହତ୍ୟା କରି ମାଂସ କରୁଥିଲେ। ଏହା ଜାଣି ଆସି ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକ ମିଶି ତିନି ଜଣଙ୍କୁ କାବୁ କରିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିବା ସହ ଗୋ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, କତୁରୀ, ଛୁରୀ, ପନଖି ସହ ଗୋ ମାଂସ ଆଦି ଜବତ କରିଥିଲେ। ଏମାନଙ୍କୁ ସେହି ବିରିଗୁଡା ଗାଁର ସିଲ୍ଭର୍ଷ୍ଟାର ୧ ହଜାର ଟଙ୍କାରେ ଗାଈ କି ବିକ୍ରି କରିଥିଲା। ଏହି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତି ଥିବା ଚମ୍ପା ଫେରାର ହୋଇଯାଇଥିଲା।
ସେହିପରି ଆଜି ପୂର୍ବାହ୍ନ ସାଢେ଼ ୧୦ ଟା ସମୟରେ ସେଇ ବୀରିଗୁଡ଼ା ଗାଁର ଗୌରାଙ୍ଗ ଓରାମ ( ୪୦) ନିକଟସ୍ଥ ଚର୍ଚ୍ଚ ପାଖରେ ଏକ ମହିନ୍ଦ୍ରା ମାକ୍ସିକୋ ( ଓଡ଼ି ୨୮ ବି ୨୧୮୭) ଗାଡ଼ିରେ ୪ ଟି ଗାଈ ଲଦା ହୋଇଥିବା ଜାଣି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସଂପୃକ୍ତି ଥିବା ପରମା ଓ ହରିହର କୁ ଗାଈ ବାବଦରେ କାଗଜ ପତ୍ର ମାଗିଥିଲେ। କିନ୍ତୁ ସେମାନେ ଦେଖେଇ ପାରି ନଥିଲେ। ମାତ୍ର ସେହି ଗାଁର ସଞ୍ଜୟ କୁଲୁ ଠାରୁ କିଣିଥିବା ପ୍ରକାଶ କରିଥିଲେ। ଏହି କଥା ଗୌରାଙ୍ଗ ସଞ୍ଜୟ କୁ ପଚାରି ବାରୁ ସେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା କଥା ଗୌରାଙ୍ଗ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପରମା ଓ ହରିହର କୁ ଆଜି ଗିରଫ କରିଥିଲା। ଏବଂ ବ୍ୟବହୃତ ଗାଡ଼ି ଜବତ କରି ଥାନାରେ ରଖିବା ସହ ଗାଈ ୪ ଗୋଟି କୁ ଚିପିଲିମା ଗୋଶାଳା ରେ ଛାଡିଥିବା ନେଇ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଗାଳି ଗୁଲଜ କରିଥିବା ସଞ୍ଜୟ କୁ ପୋଲିସ ଖୋଜୁଛି।

