ଇ-ମେଲରେ ମିଳିଲା ବୋମାପୂର୍ଣ୍ଣ ଧମକ! ତୁରନ୍ତ ଖାଲି କରାଗଲା ହାଇକୋର୍ଟ
ଭୁବନେଶ୍ୱର,୮|୧: ଦିଲ୍ଲୀ ପରେ ଏବେ ଓଡିଶାକୁ ବୋମା ଧମକ ମିଳିଛି | ସୂଚନା ଅନୁସାରେ, ରାଜ୍ୟର ୩ଟି କୋର୍ଟକୁ ଇ-ମେଲରେ ବୋମାପୂର୍ଣ୍ଣ ଧମକ ମିଳିଛି । ଯେଉଁଥିରେ ସମ୍ବଲପୁର, କଟକ, ଦେବଗଡ କୋର୍ଟ ରହିଛି |ତେବେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟକୁ ଧମକ ମିଳିବା ପରେ କୋର୍ଟର ପରିସରକୁ ପୁରା ଖାଲି କରାଯାଇଛି, ଏବଂ ପୁଲିସ ଏବଂ ଦୁଇଟି ସନ୍ଧାନୀ କୁକୁର ଦ୍ୱାରା କଡାକଡି ଯାଞ୍ଚ କରାଯାଉଛି । ବମ୍ ସ୍କ୍ୱାର୍ଡ, ଏବଂ ଡଗ୍ ସ୍କ୍ୱାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।
ସବୁଦିନ ଭଳି କୋର୍ଟ କାର୍ଯ୍ୟ ସ୍ୱାଭାବିକ ଚାଲିଥିବା ସମୟରେ ହଠାତ୍ ଇ-ମେଲରେ ଏକ ଧମକ ଆସିଥିଲା ଯାହା ପରେ, ପୁଲିସ କର୍ମୀ ଓ ବମ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରୁଛନ୍ତି । ହାଇକୋର୍ଟରୁ ସମସ୍ତ ଅଧିକାରୀ, ଓକିଲ ଓ ବିଚାରପତି ମାନଙ୍କୁ ତୁରନ୍ତ ବାହାରକୁ ଅଣାଯାଇଛି । ସୂଚନା ଅନୁସାରେ, କୋର୍ଟ ପରିସରରେ ପୂର୍ବରୁ ଯୋଜନା ଅନୁସାରେ ୩ଟି ଆରଡିଏକ୍ସ ରଖାଯାଇଛି ଏହା ଇ-ମେଲରେ ଲେଖାଯାଇଛି | ତେବେ ଧମକ ମିଳିବାଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛିକି ଏହି ଇ-ମେଲ୍ ପୁରା ଓଡ଼ିଆ ଭାଷାରେ ଲେଖାହୋଇଛି |

