ଟିକିଲିପଡ଼ା ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ
ଜମନକିରା : ଜମନକିରା ବ୍ଲକ ଟିକିଲିପଡା ପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ଅଜିତ କୁମାର ନାଏକ ଯୋଗ ଦେଇ ଛାତ୍ରୀ ଛାତ୍ରଙ୍କୁ ପାଠ ପଢିବା ସହ ନିଜର ଲୁକ୍କାୟିତ ପ୍ରତିଭା କୁ ବିକାଶିତ କରିବା ଦିଗରେ ଯତ୍ନଶୀଳ ହୁଅ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ସମାଜ ସେବୀ ସରୋଜ ମହାନ୍ତି ଯୋଗ ଦେଇ କର୍ତ୍ତବ୍ୟ ନିଷ୍ଠା, ଏକାଗ୍ରତା, ସତ୍ୟବାଦୀତା, କର୍ମତତ୍ପର ଏବଂ ପରୋପକାରି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀ ଛାତ୍ର ମାନଙ୍କୁ ଦାୟିତ୍ଵ ବୋଧତା ଉପରେ ଗଳ୍ପ ମାଧ୍ୟମରେ ବୁଝାଇଥିଲେ। ପ୍ରଧାନ ଶିକ୍ଷକ ଅନନ୍ତରାମ ରଣା ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ କୁମାର ନାୟକ, ଟିକିଲିପଡା କନ୍ୟାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା, ସିଆରସିଶି ସନ୍ତୋଷିନି ପଟେଲ, ପରିଚାଳନା କମିଟି ସଭାନେତ୍ରୀ ପଦ୍ମିନୀ ପଧାନ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ଦ୍ବିବେଦୀ, ବରିଷ୍ଠ ସମାଜ ସେବୀ ଧନେଶ୍ଵର ପଧାନ ପ୍ରମୁଖ ମଞ୍ଚାଶିନ ଥିଲେ। ସମାଜ ସେବୀ ଲକ୍ଷ୍ମୀଧର ବିନ୍ଧାଣି ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଖତ ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ପ୍ରମୁଖ ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଏଥିରେ ସ୍କୁଲର ଅରୁଣ କୁମାର ସାହୁ, ସାବିତ୍ରୀ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

