ବୀରମହାରାଜପୁର ଉପକାରଗାର ରେ ବୃଦ୍ଧଜନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର :
ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ଆନୁକୂଲ୍ୟରେ ବୀରମହାରାଜପୁର ଉପକାରାଗାର ଠାରେ ବୃଦ୍ଧଜନଙ୍କ ପାଇଁ ଅଟଳ ବୟୋ ଅଭ୍ୟୁଦୟ ଯୋଜନା (AVAYA) ଅନ୍ତର୍ଗତ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁରର ଉପ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବୃଦ୍ଧଜନଙ୍କ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ସମାଜରେ ବୃଦ୍ଧଜନଙ୍କ ସମ୍ମାନ ଓ ସୁସ୍ଥ ଜୀବନ ନିଶ୍ଚିତ କରିବା ପାଇଁ ଏପରି ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ।
ଏହି ଅବସରରେ ଜିଲ୍ଲା ବରିଷ୍ଠ ନାଗରିକ କମିଟିର ସଭ୍ୟ ଡ.ପ୍ରଫୁଲ୍ଲ କୁମାର ରଥ, କାରାଗାର ଅଧିକ୍ଷକ କାଳିନ୍ଦୀ ଚରଣ ନାୟକ, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୌଜନ୍ୟ ପ୍ରତୀକ ପଣ୍ଡା, ଟେକାରାମ ପଟେଲ, ବିଶ୍ୱମ୍ବର ସାହୁ (RARE), ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଯୁଧିଷ୍ଠିର ଭୋଇ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବୃଦ୍ଧଜନଙ୍କ ମାନସିକ ସ୍ଥିତିର ପରୀକ୍ଷା କରାଯାଇଥିବା ସହ ତାଙ୍କୁ ମନୋସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଓ ପରାମର୍ଶ ଦିଆଯାଇଥିଲା । ଏହା ଦ୍ୱାରା ବୃଦ୍ଧଜନମାନେ ମନୋବଳ ବୃଦ୍ଧି କରି ସ୍ୱାସ୍ଥ୍ୟକର ଓ ସକ୍ରିୟ ଜୀବନ ଅତିବାହିତ କରିପାରିବେ ବୋଲି ଆଶା ପ୍ରକାଶ ପାଇଛି।

