ପାରାଦୀପରେ ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା! ବିହାରୀ ଯୁବକଙ୍କୁ ଗିରଫ କରଛି ପୋଲିସ
ଜଗତସିଂହପୁର,୨୫|୨: ପାରାଦୀପ ତାରିଣୀଗଡ଼ାରେ ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ | ପୀଡ଼ିତାଙ୍କର ପରିଚୟ ମିଳିବା ପରେ ସେ ଜଣେ ଛାତ୍ରୀ ବୋଲି ଜଣାପଡ଼ିଛି। ସେ ତିର୍ତ୍ତୋଲ ଥାନା କୋଲର ଅଞ୍ଚଳର ହୋଇଥିବା ବେଳେ ଯୁକ୍ତ ୩ରେ ପଢ଼ୁଥିବା ଜଣାପଡ଼ିଛି। ପୁଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଅଭିଯୁକ୍ତ ବିହାରୀ ଯୁବକଙ୍କୁ ଗିରଫ କରିଛି। ସେହି ରୁମରେ ଥିବା ଉତ୍ତରପ୍ରଦେଶର ଜଣେ ଯୁବକ ଏବଂ ଜଣେ ଓଡ଼ିଆ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ପ୍ରକ୍ରିୟା ଜାରି ରଖିଛି । ଏନେଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରାଯାଇଛି।
ପୋଲିସ ସୂଚନା ମୁତାବକ, ଚତୁର୍ଥ ମହଲାରେ ଦୁଷ୍କର୍ମ କାଣ୍ଡ ଘଟିଥିବା ସେହି ଘରେ ରହୁଥିବା ବିହାରୀ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ ସାଙ୍ଗରେ ନେଇ ରୁମକୁ ଆସିଥିଲେ। ଏବଂ ସେଠାରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ହତ୍ୟା କରିଥିଲେ। କିନ୍ତୁ ଅନ୍ୟମାନେ ମଧ୍ୟ ଏହି ଦୁଷ୍କର୍ମରେ ସାମିଲ ଥିବା ସନ୍ଦେହରେ ପୁଲିସ ତନାଘନା ଚଳାଇଛି। କିନ୍ତୁ ହତ୍ୟାର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଛାତ୍ରୀଙ୍କ ଘର ତିର୍ତ୍ତୋଲ କୋଲର ହୋଇଥିବା ବେଳେ ସେ ସେଠାରେ କେମିତି ପହଞ୍ଚିଲେ ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ତାରିଣୀଗଡ଼ାର ଶମ୍ଭୁ ଖୁଣ୍ଟିଆଙ୍କ କୋଠାର ଚତୁର୍ଥ ମହଲାରେ ଚାରୋଟି ରୁମ୍ ଅଛି। ସେ ମଧ୍ୟରୁ ଗୋଟିଏ ରୁମରେ ଅଭିଯୁକ୍ତମାନେ ରହୁଥିଲେ। ଘଟଣା ପରେ ପୁଲିସ ରୁମ ଛାନଭିନ୍ କରିବା ସମୟରେ ସେଠାରୁ ଯୁବତୀଙ୍କର ପୋଷାକ ତାଜା ଉପରୁ ଜବତ କରିଥିଲା। ଦୁଷ୍କର୍ମ ବୋଲି ପୁଲିସ ସ୍ପଷ୍ଟ କରିଥିଲା । ଆଜି ଅନ୍ୟ ରୁମ ଗୁଡିକ ଛାନଭିନ୍ କରିଥିବା ସମୟରେ ରୋଷେଇ ଘର ତାଜା ଉପରୁ ଛାତ୍ରୀଙ୍କ ମୋବାଇଲ ଫୋନ୍ ପାଇଥିଲା । ମୋବାଇଲ ଫୋନକୁ ଅଭିଯୁକ୍ତମାନେ ସୁଇଚ ଅଫ୍ କରି ତାଜା ଉପରକୁ ଫିଙ୍ଗି ଦେଇଥିଲେ। ପୁଲିସ ମୋବାଇଲ ଫୋନ୍ ଅନ୍ କରିବା ପରେ ଛାତ୍ରୀଙ୍କ ଭାଇ ଫୋନ୍ କଲ୍ କରିଥିଲେ। ଫୋନ୍ କରି ସେ ଛାତ୍ରୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେଇଥିଲେ।
ଅଭିଯୁକ୍ତ ମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କପରିବାର ସଦସ୍ୟଙ୍କ ଆଧାରରେ ମାମଲା ରୁଜୁ ହେବ । ତେବେ ଏ ବାବଦରେ ପୁଲିସ ସ୍ପଷ୍ଟ ସୂଚନା ଦେବା ପରେ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ଅନୁମାନ ରହିଛି |

